ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଯାଏଁ ଜଣାପଡ଼ୁନି, କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତାଙ୍କ ନାଁ ରହିଥିଲେ ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ ଚିତ୍ର।

୨୦୨୪ ନିର୍ବାଚନରେ ଓଡ଼ିଶା ରାଜନୀତିରେ ଦେଖା ଦେଲା ରୋଚକ ପରିବର୍ତ୍ତନ। ଜୁନ ୪ ଫଳାଫଳ ସବୁକିଛି ଓଲଟ ପାଲଟ କରିଦେଲା। ବିଜେଡିର ଅଭେଦ୍ୟ ଗଡ଼କୁ ଭାଙ୍ଗିବାରେ ସଫଳ ହେଲା ବିଜେପି। ୨୪ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଆସୁଥିବା ନବୀନ ପଟ୍ଟନାୟକଙ୍କୁ ଦଳର ପରାଜୟ ପରେ ପଦରୁ ଇସ୍ତଫା ଦେବାକୁ ପଡ଼ିଲା। କିନ୍ତୁ ଏଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବେ ନିଷ୍ପତ୍ତି କରିପାରିଲା ନାହିଁ ବିଜେପି।

ଏଥର କେନ୍ଦ୍ର ଫୋକସରେ ରହିଥିଲା ଓଡ଼ିଶା। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପିର ତୁଙ୍ଗ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧରିଥିଲେ ପ୍ରଚାର ମଙ୍ଗ। ଚଳିତ ଥର ଓଡ଼ିଶାରେ ହୋଇଥିବା ସମସ୍ତ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିଛନ୍ତି। ମୋଦୀଙ୍କ ସହ ଅନ୍ୟ ବଡ଼ ବଡ଼ ନେତା ଘନ ଘନ ଓଡ଼ିଶାରେ ଆସି ପ୍ରଚାର କରିବା ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା।

ସତ ଦେଲା ମୋଦୀଙ୍କ କଥା

ନିର୍ବାଚନ ସମୟରେ ନରେନ୍ଦ୍ର ମୋଦୀ ଯେତେ ଥର ବି ଓଡ଼ିଶା ଆସିଛନ୍ତି, ପ୍ରତି ଥର ଗୋଟିଏ କଥା ଦୋହରାଇଛନ୍ତି। ତାହା ହେଉଛି, “ଜୁନ ୪ ତାରିଖରେ ହେବ ବିଜେଡି ସରକାରର ଏକ୍ସପାରି ଡେଟ୍। ଜୁନ ୧୦ ତାରିଖରେ ଓଡ଼ିଶାରେ ଚାଲିବ ଡବଲ ଇଞ୍ଜିନ ସରକାର। ବିଜେପି ନେବ ଓଡ଼ିଶାର ଶାସନ ଦାୟିତ୍ଵ। ଓଡ଼ିଆ କହୁଥିବା ଏବଂ ବୁଝୁଥିବା ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।”

ନିର୍ବାଚନ ଫଳାଫଳ ଘୋଷଣା ହୋଇ ତୃତୀୟ ପାଳି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି ନରେନ୍ଦ୍ର ମୋଦୀ। ଅବଶ୍ୟ ଜୁନ ୧୦ ତାରିଖ ଯାଏଁ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ଚୂଡ଼ାନ୍ତ କରିପାରି ନାହିଁ ବିଜେପି। ତେବେ ଜୁନ ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି କହିଛି।

ମୁଖ୍ୟମନ୍ତ୍ରୀ ରେସ୍‌ରେ ଅନେକ ନେତା

ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି ବିଜେପିର ବହୁ ଅଭିଜ୍ଞଙ୍କ ସହ ଯୁବ ଚେହେରା। ମୁଖ୍ୟମନ୍ତ୍ରୀ ରେସରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ରହିଛି। କେବଳ ସେତିକି ନୁହେଁ ସୁରେଶ ପୂଜାରୀ, କେଭି ସିଂଦେଓ, ଜୟନାରାୟଣ ମିଶ୍ର, ମୋହନ ମାଝି, ସୁରମା ପାଢ଼ୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଏହା ସହ ନବ ନିର୍ବାଚିତ ପୃଥ୍ଵୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ଵାଇଁ, ସିଦ୍ଧାନ୍ତ ମହାପାତ୍ର, ଆଶ୍ରିତ ପଟ୍ଟନାୟକ, ବାବୁ ସିଂଙ୍କ ନାଁକୁ ନେଇ ରାଜନୈତିକ ମହଲରେ ଜୋର ସୋର ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ମଧ୍ୟରେ ଆଗରେ ରହିଥିଲା ଗିରିଶ ମୁର୍ମୁଙ୍କ ନାଁ।

ପର୍ଯ୍ୟବେକ୍ଷକ ବାଛିବେ ମୁଖ୍ୟମନ୍ତ୍ରୀ

ତେବେ କିଏ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସପେନ୍ସ ଜାରି ଲାଗି ରହିଛି। ଏହାରି ମଧ୍ୟରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ନିଯୁକ୍ତି ହୋଇଛନ୍ତି ଦୁଇ ଜଣ ପର୍ଯ୍ୟବେକ୍ଷକ। ଦୁଇଜଣ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ନିଯୁକ୍ତି ଦେଇଛି ବିଜେପି ସଂସଦୀୟ ବୋର୍ଡ। ବିଧାୟକ ଦଳର ବୈଠକ ପରେ ଚୂଡ଼ାନ୍ତ ହେବ କିଏ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ।

ଆସନ୍ତାକାଲି, ମଙ୍ଗଳବାର ଦିନ ବିଧାୟକ ଦଳର ବୈଠକ ବସିବ। ଏଥିରେ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଯୋଗ ଦେଇ ବିଜେପି ବିଧାୟକମାନଙ୍କ ସହ ଆଲୋଚନା କରିବେ। ଜୁନ ୧୨ ତାରିଖରେ ଜନତା ମଇଦାନରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ।

Tags: #Politics #OdishaPolitics #NewCMofOdisha #OdishaElections2024 #BJD #Odisha

LEAVE A REPLY

Please enter your comment!
Please enter your name here