ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତାକାଲି, ଗୁରୁବାର ଦିନଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର। ମଙ୍ଗଳଆଳତୀ ନୀତି ପରେ ଭକ୍ତଙ୍କ ପାଇଁ ଚାରିଦ୍ଵାର ଖୋଲାଯିବ। ମୋହନ ଚରଣ ମାଝୀଙ୍କ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷତ୍ତି ହୋଇଛି। ଏହି ବୈଠକରେ ୪ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।

ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢ଼ିଛି ବିଜେପି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ୪ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲିଠାରୁ ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯିବ। ମଙ୍ଗଳଆଳତୀ ସମୟରେ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ। ରାଜ୍ୟ ସରକାରଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯିବ। ଏଣିକି ଶୃଙ୍ଖଳିତ ତଥା ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ।

ଏହା ସହ ପୁରୀ ଶ୍ରୀମନ୍ଦିର ସଂରକ୍ଷଣ, ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ, ଜରୁରୀକାଳିନ ପରିସ୍ଥତିର ମୁକାବିଲା ଲାଗି କର୍ପସ ଫଣ୍ଡ ଗଠନ କରାଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଖୁବଶୀଘ୍ର ଆସିବ ‘ସମୃଦ୍ଧ କୃଷକ ନୀତି’। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୧ ଶହ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ କମିଟି ଗଠନ କରାଯିବ।

ସେହିପରି ଆସନ୍ତା ୧୦୦ ଦିନ ମଧ୍ୟରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଭାଉଚର ପ୍ରଦାନ କରାଯିବ। ମହିଳାଙ୍କୁ ସଶକ୍ତ କରିବାରେ ଏହା ସହାୟକ ହେବ ବୋଲି ମୋହନ ଚରଣ ମାଝୀ କହିଛନ୍ତି।

ମାନିଫେଷ୍ଟୋରେ ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯିବ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୩୧ ଶହ ଟଙ୍କା କରାଯିବ ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ବିଜେପି ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି।

Tags: #Politics #OdishaPolitics #OdishaCabinetMeeting #CMOdisha #MohanCharanMajhi #PuriShreeMandir

LEAVE A REPLY

Please enter your comment!
Please enter your name here