ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପହିଲି ରଜ। ରଜ ପାଇଁ ସଜେଇ ହୋଇଛି ଗାଁଠୁ ସହର। ବରଷକେ ଥରେ ଆସିଛି ଓଡ଼ିଶାର ଗଣପର୍ବ ରଜ। ରଜ ପାଇଁ ତ ଚାଲିଛି ଚାରିଆଡ଼େ ସଜବାଜ।

ବର୍ଷକୁ ଥରେ ରଜପର୍ବକୁ ଅପେକ୍ଷା କରି ରହିଥାନ୍ତି ପ୍ରତ୍ୟେକ ଓଡ଼ିଆ। ରଜପର୍ବ ପାଇଁ କେତେ ପ୍ରସ୍ତୁତି। ସମସ୍ତଙ୍କ ଘରେ ଜମେ ପିଠାପଣାର ଆସର। ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମ ପାଳନ କରିଥାନ୍ତି ରଜପର୍ବ।

ରଜପର୍ବରେ ବିଭିନ୍ନ ପ୍ରକାରର ପିଠା ତ ପ୍ରସ୍ତୁତ ହୁଏ, କିନ୍ତୁ ରଜରେ ପୋଡ଼ପିଠାର ସ୍ଵାଦ କିଛି ନିଆରା। ପିଠାପଣା ସାଙ୍ଗକୁ ଦୋଳିର ମଧ୍ୟ ଆୟୋଜନ ହୁଏ। ଦୋଳି ଖେଳିବାକୁ କୁନି ପିଲାଙ୍କଠାରୁ କିଶୋରୀ ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ଅପେକ୍ଷାରେ ଥାନ୍ତି। କେବଳ ପିଲା କାହିଁକି ସବୁ ବୟସର ଲୋକ ମଧ୍ୟ ଦୋଳିର ମଜା ନେଇଥାନ୍ତି ରଜପର୍ବରେ।

ଜୁନ ୧୪ ତାରିଖରେ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ ଏବଂ ଚତୁର୍ଥ ଦିନ ମହାଲକ୍ଷ୍ମୀ ସ୍ନାନ (ବସୁମାତା ସ୍ନାନ)। ରଜ ଦୋଳି ଏବଂ ପିଠା ଭଳି ରଜପାନର ବି ବେଶ ଗୁରୁତ୍ଵ ରହିଛି। ରଜପାନ ଖଣ୍ଡେ ନଖାଇଲେ ରଜରେ ମଜା ଆସେନି।

ପହିଲି ରଜର ପୂର୍ବଦିନ ସଜବାଜ କାମ ରହିଥାଏ। ରଜ ପାଇଁ ପ୍ରସ୍ତୁତି, ରଜ ସଜବାଜ, ପିଠଉ ବଟା, ମସଲା ଗୁଣ୍ଡ କରିବା, ଚୁନା କୁଟିବା, ଗୁଆ ଭାଙ୍ଗିବା, ପାନ ଚିରି ରଖିବା, ଦୋଳି ବାନ୍ଧିବା ଆଦି କାମ କରିଥାନ୍ତି।

ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳୁଥିବା ବେଳେ ସହରରେ ବିଭିନ୍ନ ମହୋତ୍ସବ ପାଳନ କରାଯାଉଛି। ପୋଡ଼ ପିଠା, ଆରିଷା, କାକରା, ମଣ୍ଡା ଏଭଳି ବିଭିନ୍ନ ପିଠାରେ ମହକୁଥାଏ ପୁରପଲ୍ଲୀ।

ଗାଁମାନଙ୍କରେ ରଜର ମଜା ଟିକେ ଅଲଗା। ବରଗଛ, ଆମ୍ବ ଗଛମାନଙ୍କରେ ଲୋକ ବାଉଁଶ ଦୋଳି ଲଗାଇଥାନ୍ତି।

ରଜ ପାଇଁ ଏଥର ୧୦ ଦିନ ଆଗରୁ ବଜାରରେ ଭିଡ଼ ଲାଗିଛି। ଖରାଯୋଗୁଁ ଦିନ ବେଳା କିଣାକିଣି ବନ୍ଦ ହେଉଛି, କିନ୍ତୁ ସନ୍ଧ୍ୟା ବେଳେ ବଜାରରେ ଭିଡ଼ ଜମୁଛି। ରଜ ପାଇଁ ରାଜଧାନୀର ସବୁ ହୋଟେଲ, ପାନ୍ଥ ନିବାସ ଚଳଚଞ୍ଚଳ। ବିଭିନ୍ନ ମଲମାନଙ୍କରେ ରଜ ଦୋଳି ବ୍ୟବସ୍ଥା କରାଯାଇଛି। ଭିନ୍ନ ପାରମ୍ପାରିକ ପିଠା ସାଙ୍ଗକୁ ଦୋଳିରେ ହୋଟେଲ ସଜାଯାଇଛି। ଏହି ପର୍ବ ଅବସରରେ ମଲଗୁଡ଼ିକରେ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରିବା ସହ ସୁସ୍ୱାଦୁ ଖାଦ୍ୟର ଭଳିକି ଭଳି ବ୍ୟବସ୍ଥା କରାଯାଇଛି।

Tags: #Festival #Raja #PahiliRaja #Celebration

LEAVE A REPLY

Please enter your comment!
Please enter your name here