ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ। ଗାଁରୁ ସହର ସବୁଠି ଧୁମଧାମ୍‌ରେ ପାଳନ ହେଉଛି ରଜ। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳୁଥିବା ବେଳେ ସହରରେ ବିଭିନ୍ନ ମହୋତ୍ସବ ପାଳନ କରାଯାଉଛି।

ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ। ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣବିଶ୍ରାମ ଦିଆଯାଏ।

ଏଥିସହିତ କୃଷିକର୍ମରୁ ଅବ୍ୟାହତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକସମାଜ। ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୂରପଲ୍ଲୀ। ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ। ପହଲି ବର୍ଷାର ସ୍ପର୍ଶରେ ଝୁମିଯାଏ, ପୁଲକିତ ପଲ୍ଲବିତ ହୁଏ ପୃଥିବୀ।

ଏହି ମହୋତ୍ସବରେ ଝିଅ, ବୋହୂମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୋଡ଼ପିଠା, ପାନ ଭଙ୍ଗା, ଝୋଟି ପକା ଆଦି ପ୍ରତିଯୋଗିତା କରାଯାଇ ଝିଅ, ବୋହୂମାନଙ୍କୁ ଉତ୍ସାହିତ କରାଯାଉଛି। ଝିଅ, ବୋହୂମାନେ ନୂଆ ପୋଷାକ ପିନ୍ଧି, ସଜେଇ ହୋଇ ରଜକୁ ମନଭରି ଉପଭୋଗ କରୁଛନ୍ତି।

କେବଳ ପୋଡ଼ ପିଠା ନୁହେଁ, ଆରିଷା, କାକରା, ମଣ୍ଡା ଏବଂ ଚକୁଳି ପିଠାର ମହକରେ ପୂରପଲ୍ଲି ମହକୁଛି। ପାଗ ଭଲ ଥିବାରୁ ରଜ ମଉଜର ଆସର ଜମୁଛି। ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିରେ ମାହୋଲ ଆହୁରି ଜମି ଯାଇଛି। ଆଧୁନିକତାର ସ୍ପର୍ଶରେ ପୁରୁଣା ସମୟର ରଜ ଆଜି ନାହିଁ ସତ; କିନ୍ତୁ ଯୁବପିଢ଼ିଙ୍କ ପାଇଁ ଆଜି ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି।

Tags: #RajaCelebration #RajaSankranti #Celebration #Festival #Odisha

LEAVE A REPLY

Please enter your comment!
Please enter your name here