ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ଈଟିଭି କର୍ମଚାରୀ। ସେମାନେ ରାମୋଜୀ ରାଓଙ୍କ ଦଶାହ ଅବସରରେ ଶୁଦ୍ଧିକ୍ରିୟା ରୀତି ଅନୁକରଣ କରି ବିନ୍ଦୁସାଗରରେ ତିଳତର୍ପଣ କରିଛନ୍ତି।
ପ୍ରଥମ ଓଡ଼ିଆ ସାଟେଲାଇଟ୍ ଚ୍ୟାନେଲ ଈଟିଭି ଓଡ଼ିଆର କେତେକ ପୂର୍ବତନ ସହଯୋଗୀ ସୋମବାର ପୂର୍ବାହ୍ନରେ ବିନ୍ଦୁସାଗରରେ ପାରମ୍ପରିକ ରୀତିରେ ଖିଅର ଓ ମୁଣ୍ଡନ ହୋଇଥିଲେ। ସେମାନେ ରାମୋଜୀ ରାଓଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏଭଳି ଶ୍ରଦ୍ଧାଞ୍ଜଳି ଦେଇଥିବା ପ୍ରଭାକର ଦଳାଇ ଏବଂ ଦୀନଭଞ୍ଜନ ପଣ୍ଡା କହିଛନ୍ତି ଯେ, ରାମୋଜୀ ରାଓ ଥିଲେ ଭାରତୀୟ ଗଣମାଧ୍ୟମ ଜଗତର ଜଣେ ଦିଗଦ୍ରଷ୍ଟା। ବିଶେଷ କରି ଖବରକାଗଜ, ଟେଲିଭିଜନ ଏବଂ ଡିଜିଟାଲ ମାଧ୍ୟମରେ ସମ୍ବାଦ ପରିବେଷଣ ସହ ମନୋରଞ୍ଜନ କାର୍ଯ୍ୟକ୍ରମର ସେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ। ତେଣୁ ଜଣେ ମୁରବୀଙ୍କ ବିୟୋଗରେ ସାରା ଦେଶର ଗଣମାଧ୍ୟମ ଶୋକ ପାଳନ କରୁଛି।
ସର୍ବାଧିକ ପ୍ରସାରିତ ତେଲଗୁ ଖବରକାଗଜ ଈନାଡୁ, ବହୁଭାଷୀ ଟେଲିଭିଜନ ନେଟୱର୍କ ଈଟିଭି, ପୃଥିବୀର ସର୍ବବୃହତ୍ତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି ଏବଂ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ। ଜୁନ ୮ ତାରିଖ ଭୋରରୁ ହାଇଦ୍ରାବାଦଠାରେ ତାଙ୍କର ବିୟୋଗ ଘଟିଥିଲା।
Tags: #RamojiRao #Tribute #ETVEmployees #Bhubaneswar