ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନ ନିକଟରେ ସୋମବାର ଘଟିଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏଯାଏଁ ଦୁର୍ଘଟଣାରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଅନ୍ୟ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ଅଶ୍ଵିନୀ ବୈଷ୍ଣବ ସୋମବାର ଅପରାହ୍ଣରେ ନ୍ୟୁ ଜଲପାଇଗୁଡ଼ିରେ ପହଞ୍ଚିଥିଲେ। ସେ ଏଠାରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ହସ୍ପିଟାଲରେ ଆହତମାନଙ୍କୁ ଭେଟିଥିଲେ। ଏହାସହ ସେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।

ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ବର୍ଗଙ୍କ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ଘୋଷଣା ହୋଇଛି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ମୃତକମାନଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୬୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା ହୋଇଥିଲା।

ତେବେ ପ୍ରାଥମିକ ତଦନ୍ତରୁ ଏହି ଦୁର୍ଘଟଣା ମାନବୀୟ ତ୍ରୁଟି କାରଣରୁ ହୋଇଥିବା ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଛି। ସିଗନାଲ ଦିଆଯିବା ସତ୍ତ୍ୱେ ମାଲଗାଡ଼ିର ଲୋକୋ ପାଇଲଟ ଟ୍ରେନକୁ ଅଟକାଇ ନଥିଲେ। ଏଥିପାଇଁ ଏହା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଟ୍ରେନ ସଂଖ୍ୟା ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ତ୍ରିପୁରାର ଅଗରତାଲାରୁ କୋଲକାତାର ସିଆଲଦା ଷ୍ଟେସନ ଅଭିମୁଖେ ଯାଉଥିଲା। ସୋମବାର ସକାଳେ ପ୍ରାୟ ୯ଟା ସମୟରେ ଟ୍ରେନଟି ନ୍ୟୁ ଜଲପାଇଗୁଡ଼ି ଷ୍ଟେସନ ଛାଡ଼ି ଆଗକୁ ବଢ଼ିଥିଲା। ଏହି ସମୟରେ ଟ୍ରେନର ବେଗ କମ୍ ଥିବାବେଳେ ଏହାକୁ ପଛରୁ ଆସୁଥିବା ମାଲଗାଡ଼ିଟି ଧକ୍କା ଦେଇଥିଲା।

Tags: #TrainAccident #KanchunjunghaExpress #NewjalpaiguriStation #WestBengal #IndianRailways

LEAVE A REPLY

Please enter your comment!
Please enter your name here