ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଦୁନିଆର ବାଦ୍‌ଶାହ ରାମୋଜୀ ରାଓଙ୍କ ସ୍ମୃତିଚାରଣ ପାଇଁ ଜୁନ୍ ୧୮ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ସନ୍ଧ୍ୟା ୬ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।

ଈଟିଭି ଓଡ଼ିଆ ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶାର ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ସାମିଲ ହୋଇ ଏହି ମିଡିଆ ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ପ୍ରିଣ୍ଟ୍, ଟେଲିଭିଜନ, ସିନେମା, ପର୍ଯ୍ୟଟନ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରି ରାମୋଜୀ ରାଓ ଏକ ବିଶାଳ ଅନୁଷ୍ଠାନ ଠିଆ କରିଥିଲେ। ବିଶେଷକରି, ଗତ ୫ ଦଶନ୍ଧି ଧରି ବିଭିନ୍ନ ମାଧ୍ୟମରେ ସାମ୍ବାଦିକତାର ପ୍ରସାର କ୍ଷେତ୍ରରେ ସେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ବିଭିନ୍ନ ଆଞ୍ଚଳିକ ଭାଷାରେ, ଟେଲିଭିଜନ ଚ୍ୟାନେଲ ଆରମ୍ଭ କରି ରାମୋଜୀ, ଈଟିଭିକୁ ଦେଶର ସବୁଠାରୁ ବଡ଼ ନେଟୱର୍କ ଭାବେ ପ୍ରତିଷ୍ଠା କରିପାରିଥିଲେ।

ଜୁନ ୮ ତାରିଖରେ ପଦ୍ମ ବିଭୂଷଣ ରାମୋଜୀ ରାଓଙ୍କ ମହାପ୍ରୟାଣ ଘଟିଥିଲା। ଭାରତୀୟ ଗଣମାଧ୍ୟମ ଜଗତକୁ ତାଙ୍କ ଅବଦାନକୁ ମନେ ପକାଇ ଏହି ସ୍ମୃତି କାର୍ଯ୍ୟକ୍ରମରେ ଏକ ଭିଡିଓ ଉପସ୍ଥାପନ କରାଯିବ। ଏଥିରେ ଈଟିଭି ଓଡ଼ିଆ ପରିବାରର ପୂର୍ବତନ ସହଯୋଗୀଙ୍କ ସହ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଏବଂ କଳା ସଂସ୍କୃତି କ୍ଷେତ୍ରର ବ୍ୟକ୍ତିବିଶେଷ ଯୋଗ ଦେଇ ଏହି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି କାର୍ଯ୍ୟକ୍ରମର ଆବାହକ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି।

୨୦୦୨ ମସିହାରେ ରାମୋଜୀ ରାଓ ଓଡ଼ିଶାକୁ ଭେଟି ଦେଇଥିଲେ ରାଜ୍ୟର ପ୍ରଥମ ଘରୋଇ ସାଟେଲାଇଟ୍ ଚ୍ୟାନେଲ୍ ‘ଈଟିଭି ଓଡ଼ିଆ’। ଏଥିରେ ଦେଶ ବିଦେଶର ଖବର ସହିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ଓଡ଼ିଶାର ଘରେ ଘରେ ଈଟିଭି ଓଡ଼ିଆ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବିଶେଷକରି ଓଡ଼ିଶାରେ ଟେଲିଭିଜନ୍ ସାମ୍ବାଦିକତା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପ୍ରସାରଣ କ୍ଷେତ୍ରରେ ଏକ ବଡ଼ ବିପ୍ଲବ ଆଣିଥିଲା ଈଟିଭି ଓଡ଼ିଆ।

୧୯୬୯ରେ ତେଲଗୁ ଭାଷାରେ କୃଷିଭିତ୍ତିକ ପତ୍ରିକା ‘ଅନ୍ନଦାତା’ରୁ ଆରମ୍ଭ ହୋଇଥିଲା ରାମୋଜୀ ରାଓଙ୍କ ମିଡିଆ ଯାତ୍ରା। ଏହାପରେ ୧୯୭୪ରେ ସେ ତେଲଗୁ ଭାଷାରେ ‘ଈନାଡୁ’ ଖବରକାଗଜ ଆରମ୍ଭ କରିଥିଲେ। ସେହିପରି ବହୁଭାଷୀ ଟେଲିଭିଜନ ନେଟୱର୍କ ‘ଈଟିଭି’, ପୃଥିବୀର ସର୍ବବୃହତ୍ତ ଫିଲ୍ମ ଷ୍ଟୁଡିଓ ‘ରାମୋଜୀ ଫିଲ୍ମ ସିଟି’ ଏବଂ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଈଟିଭି ଭାରତ’ ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ।

ସୋସିଆଲ ମିଡିଆରେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଲାଇଭ୍‌ଷ୍ଟ୍ରିମିଂ କରାଯିବ। କୌଣସି ମିଡିଆ ଚ୍ୟାନେଲ ବା ବ୍ୟକ୍ତି ଚାହିଁଲେ ଏହି କ୍ଲିନ୍ ଫିଡ୍‌କୁ ନିଜ ଚ୍ୟାନେଲରେ ପ୍ରସାରଣ କରିପାରିବେ।

Tags: #RamojiRao #Tribute #ETVEmployees #Bhubaneswar

LEAVE A REPLY

Please enter your comment!
Please enter your name here