ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତାକାଲି, ମଙ୍ଗଳବାରଠାରୁ ଓଡ଼ିଶା ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ। ତିନିଦିନ ଧରି ଚାଲିବାକୁ ଏହି ଅଧିବେଶନରେ ଶପଥ ନେବେ ରାଜ୍ୟର ୧୪୭ ନବ ନିର୍ବାଚିତ ବିଧାୟକ। ଜୁନ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବଳୟ ମଧ୍ୟରେ ରହିବ ବିଧାନସଭା। ସୋମବାର ଦିନ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ। ଯାଞ୍ଚ ସମୟରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏବଂ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଉପସ୍ଥିତ ଥିଲେ।

ସୁରକ୍ଷା ପାଇଁ ନିୟୋଜିତ ହେବେ ୭୫ ଜଣ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ଫୋର୍ସ। ଏହା ସହ ଆଣ୍ଟି ସାବୋଟେଜ ଓ ଆଣ୍ଟି ଟେରୋରିଷ୍ଟ ଟିମ ମଧ୍ୟ ମୁତୟନ ହେବେ।

ଚଳିତ ଥର ଓଡ଼ିଶାରେ ସରକାର ଗଢ଼ିଛି ବିଜେପି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଥିବାବେଳେ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ସହ ନୂଆ ସରକାରଙ୍କ ୧୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଓଡ଼ିଶା ବିଧାନସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ଵ ନେଇଛନ୍ତି ଆଠଗଡ଼ର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ଆସନ୍ତାକାଲିଠାରୁ ନବନିର୍ବାଚିତ ବିଧାୟକ ଶପଥ ନେବେ। ଜୁନ ୧୮ ଏବଂ ୧୯ ତାରିଖ ଦୁଇଦିନ ବିଧାୟକମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

Tags: #OdishaAssembly #AssemblySession #Politics #OathTakingCeremony #NewMLAsOfOdisha #TightSecurity

LEAVE A REPLY

Please enter your comment!
Please enter your name here