ପ୍ରଦୀପ କୁମାର ନାୟକ

ରାମୋଜୀ ରାଓ, କେବଳ ନାଁ ହିଁ ଯଥେଷ୍ଟ। ଏହି ଭର୍ସାଟାଇଲ ବ୍ୟକ୍ତିତ୍ଵଙ୍କୁ କୌଣସି ପରିଚୟର ଆବଶ୍ୟକ‌ତା ନାହିଁ। ଗଣମାଧ୍ୟମ କ୍ଷେତ୍ରରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନର ସେ ହେଉଛନ୍ତି ସୂତ୍ରଧର। ଖାଲି ସାମ୍ବାଦିକତା ନୁହେଁ, ସାହିତ୍ୟ, ସମାଜ, ଫିଲ୍ମଜଗତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ। ଆଞ୍ଚଳିକତାକୁ ପ୍ରାଧାନ୍ୟ ଦେଇ ପୁରପଲ୍ଲୀରେ ଗଣମାଧମ ଓ ମନୋରଞ୍ଜନ ଶିଳ୍ପକୁ ସୁଦୂରପ୍ରସାରୀ କରିଥିବାର ମାଷ୍ଟରମାଇଣ୍ଡ୍ ହେଉଛନ୍ତି ରାମୋଜୀ।

ପଦ୍ମ ବିଭୂଷଣ ରାମୋଜୀ ରାଓଙ୍କ ଅକାଳ ବିୟୋଗ ପରେ ଏହି ସ୍ଥାନ ଯେ ଚିରଦିନ ଲାଗି ଅପୂରଣୀୟ ହୋଇ ରହିଗଲା, ଏଥିରେ ତିଳେ ହେଲେ କାହାର ସନ୍ଦେହ ନାହିଁ। ବିଗତ ୫ ଦଶନ୍ଧି ଧରି ଆନ୍ଧ୍ର ପ୍ରଦେଶର ସାମାଜିକ ଓ ରାଜନୈତିକ ଇତିହାସ ରାମୋଜୀଙ୍କ ଭୂମିକା ଓ ଅବଦାନ ବିନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ହେଲେ କେବଳ ସେଥିରେ ସୀମିତ ରହି ନ ଥିଲେ ରାମୋଜୀ। ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ବି ତାଙ୍କ ବିନା ଅଧୁରା।

ଓଡ଼ିଶା ଅସ୍ମିତାର ପରିଚୟ ସୃଷ୍ଟିରେ ଯେ ରାମୋଜୀ ରାଓଙ୍କ ଭଳି ମହାନ ସାଧକଙ୍କ ଭୂମିକା ଯଥେଷ୍ଟ ଥିଲା, ତାହାକୁ କେହି ଅସ୍ଵୀକାର କରିପାରିବେନି। ସାମାଜିକ ସଂସ୍କାରରେ ରାମୋଜୀଙ୍କ ଅବଦାନ ଚିରସ୍ମରଣୀୟ। ବିଶେଷ କରି ଓଡ଼ିଶାରେ ଆଜି ଯେ କୌଣସି ଗଣମାଧ୍ୟମରେ ଶୀର୍ଷସ୍ତରରେ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତିଟିଏ ଯେ ଏକଦା ରାମୋଜୀଙ୍କ ମିଡିଆ ଶିଳ୍ପର ପରିଚୟରେ ଛିଡ଼ା ହୋଇଥିଲା, ଏଥିରେ କାହାର ଦ୍ଵିଧା କି ଦ୍ଵିମତ ନାହିଁ।

ମିଡିଆ ମୋଗଲ ରାମୋଜୀ କେବଳ ବଡ଼ ସ୍ୱପ୍ନ ଦେଖୁନଥିଲେ, ତାକୁ ସାକାର କରିବାକୁ ସମସ୍ତ ଚେଷ୍ଟା ବି କରୁଥିଲେ। ଆଉ ଏହି ରାସ୍ତାରେ ଯିବାକୁ ଅନେକଙ୍କ ପ୍ରେରଣାର ଉତ୍ସ ବି ଥିଲେ। ଖବର ସହ ମନୋରଞ୍ଜନ କେତେ ଜରୁରୀ, ଏହାର ଗୁରୁତ୍ଵକୁ ଉପଲବ୍ଧି କରିଥିଲେ ରାମୋଜୀ।

ମିଡିଆ ଟାଇକୁନ୍ ରାମୋଜୀ ରାଓ ଇନାଡୁ ସମ୍ବାଦପତ୍ର ଓ ରାମୋଜୀ ଫିଲ୍ମସିଟିର ପ୍ରତିଷ୍ଠାତା ଥିଲେ। ମିଡିଆ ସାମ୍ରାଜ୍ୟର ବାଦଶାହ ରାମୋଜୀ କେତେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ଥିଲେ, ତାହା ତାଙ୍କ କାମରୁ ପ୍ରତିଫଳିତ ହେଉଥିଲା। ଗୋଟିଏ କଥାରେ କହିଲେ, ସେ ଲୋକଙ୍କ ନାଡ଼ି ଚିପି ସେମାନଙ୍କ ଆଶା, ଆକାଂକ୍ଷା ଓ ରୁଚିକୁ ବେଶ ଠଉରାଇପାରୁଥିଲେ।

ସାଧାରଣ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ଜଣେ ଅସାଧାରଣ ବ୍ୟକ୍ତିତ୍ଵ ଥିଲେ ରାମୋଜୀ ରାଓ। ସଦା ହସହସ ମୁହଁ, ଧଳା ପୋଷାକ ପରିଧାନ କରିବାରେ ରୁଚି ରଖୁଥିବା ସାଧାସିଧା ମଣିଷଟିଏ। ହେଲେ ଏହି ସରଳ ମଣିଷଟି ଅଗଣିତ ଲୋକଙ୍କୁ ମଣିଷପଣିଆର ପରିଭାଷା ଶିଖାଇଥିଲେ। ଅସଂଖ୍ୟ ଲୋକଙ୍କର ରୁଚିକୁ ସେ  ଜାଣିପାରୁଥିଲେ। ଗଣମାଧ୍ୟମରେ ରହି ପାୱାର ପଲିଟିକ୍ସ ଚାପର ବଶବର୍ତ୍ତୀ ନ ହୋଇ ନିରପେକ୍ଷତାର କଷଟିରେ ନିଜକୁ ଦେଖିବାର ସାମର୍ଥ୍ୟକୁ ଦେଖାଇଥିଲେ ରାମୋଜୀ।

Tags: #RamojiRao #MediaTycoon #RamojiGroup #ETVNetwork #India

LEAVE A REPLY

Please enter your comment!
Please enter your name here