ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହେବେ ବିରୋଧୀ ଦଳର ନେତା। ବିଜେଡି ବିଧାୟକ ଦଳର ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି। ୨୪ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଉଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ହେବେ।
ବୁଧବାର ଦିନ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୫୧ ଜଣ ନବନିର୍ବାଚିତ ବିଧାୟକ ଏବଂ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ନିର୍ବାଚିତ ହୋଇଥିବାବେଳେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆର୍ଯ୍ୟୟ ହେବେ ବିରୋଧୀ ଦଳର ଉପନେତା।
ସେହିପରି ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ନିର୍ବାଚିତ ହୋଇଥିବାବେଳେ ପ୍ରତାପ କେଶରୀ ଦେବ ହେବେ ବିରୋଧୀ ଦଳର ଉପମୁଖ୍ୟ ସଚେତକ।
ନବୀନ ପଟ୍ଟନାୟକ ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବାକୁ ସୁଯୋଗ ପାଇଛି ବିଜେପି। ଦିନେ ବିରୋଧୀଙ୍କ ପ୍ରଶ୍ନ ଉତ୍ତର ଦେଉଥିବା ନବୀନ ଏବେ ଶାସକ ବିଜେପିକୁ ପ୍ରଶ୍ନ ବାଣରେ ଘାଇଲା କରିବାକୁ ସୁଯୋଗ ପାଇବେ।
ବିଜେଡି ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ନିର୍ବାଚିତ ବିଧାୟକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Tags: #Politics #OdishaPolitics #NaveenPatnaik #PrasannaAcharya #PramilaMallick #PratapKeshariDeb