ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରର ରତ୍ନବେଦୀ ଛାଡ଼ି ସ୍ନାନ ମଣ୍ଡପରେ ବିରାଜିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର, ଏହାପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ଆସି ସ୍ନାନ ମଣ୍ଡପରେ ବିଜେ କରିଛନ୍ତି। ଦିନ ୧୨ଟା ୨୦ ସମୟରେ ଏଠାରେ ମହାସ୍ନାନ ଆରମ୍ଭ ହେବ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ।

ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ଅନୁସାରେ ଶନିବାର ଭୋର୍ ୪ଟାରେ ଶ୍ରୀମନ୍ଦିରରେ ମଙ୍ଗଳାର୍ପଣ ପରେ ସକାଳ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ବେଦୀରେ ବିରାଜିବା ପରେ ସକାଳ ୯ଟା ୧୦ରେ ମଙ୍ଗଳଆଳତି ହୋଇଥିଲା। ଏହାପରେ ତଡ଼ପ ଲାଗି ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା।

ତେବେ ଦିନ ୧୨ଟା ୨୦ରୁ ୧ଟା ୪୫ ଭିତରେ ମହାପ୍ରଭୁଙ୍କ ସ୍ନାନ ନୀତି ସରିବ। ଅପରାହ୍ଣ ୩ଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନ ମଣ୍ଡପରେ ଛେରା ପହଁରା କରିବାପରେ ଅପରାହ୍ଣ ୩ଟା ୪୦ ସମୟରୁ ମହାପ୍ରଭୁଙ୍କ ଗଜବେଶ ଆରମ୍ଭ ହେବ।

ଏହାପରେ ଶ୍ରୀମନ୍ଦିରରେ ରାତି ୭ଟା ୩୦ରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଚାଲିବ। ରାତି ୧୦ଟା ୩୦ରେ ସାହାଣମେଲା ଦର୍ଶନ ବନ୍ଦ ପରେ ୧୧ଟା ସମୟରେ ବେଶ ଓଲାଗି ଓ ୧୧ଟା ୩୦ରେ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ।

ଅନ୍ୟପଟେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବା ସହ ମୋଟ ୬୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। 

Tags: #DebasnanaPurnima #ShreeMandir #Tradition #Puri #Odisha

LEAVE A REPLY

Please enter your comment!
Please enter your name here