ସିଦ୍ଧାର୍ଥ ରଥ

ସାବଧାନ, ପୃଥିବୀରେ ପ୍ରତି ୪ ଜଣରେ ଜଣକୁ ଜୀବନକାଳ ମଧ୍ୟରେ ଷ୍ଟ୍ରୋକ୍ ହୋଇପାରେ!

ଷ୍ଟ୍ରୋକ୍-ମୁକ୍ତ ଜୀବନ। ଆଜ୍ଞା ହଁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ଯେ ଆଗାମୀ ଦିନରେ ପୃଥିବୀରେ ପ୍ରତି ୪ ଜଣରେ ଜଣକୁ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ହୋଇପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ ପ୍ରତି ବର୍ଷ ପୃଥିବୀରେ ପ୍ରାୟ ୧୫ ନିୟୁତ ବା ଦେଢ଼ କୋଟି ବ୍ୟକ୍ତି ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୫ ନିୟୁତ ଏହି ଆକସ୍ମିକ ତଥା ଘାତକ ବେମାରୀରେ ପ୍ରାଣ ହରାଉଛନ୍ତି। ଦୁଃଖର କଥା ଯେ ଷ୍ଟ୍ରୋକ୍‌ର ଶିକାର ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଆଉ ୫ ନିୟୁତ ସ୍ଥାୟୀ ଅକ୍ଷମତା ବା ଷ୍ଟ୍ରୋକ୍‌ଜନିତ ପାରାଲିସିସ୍ ଭୋଗୁଛନ୍ତି। ସେମାନେ ନିଜ ପରିବାର ଏବଂ ସମାଜ ଉପରେ ଏକ ପ୍ରକାର ବୋଝ ହୋଇ ଯାଉଛନ୍ତି।

ବିଶ୍ୱ ଷ୍ଟ୍ରୋକ୍ ସଙ୍ଗଠନ (ୱାର୍ଲଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ୍) ତଥ୍ୟ ଅନୁଯାୟୀ ଷ୍ଟ୍ରୋକ୍ ଆଜି ପୃଥିବୀରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁର କାରଣ ହୋଇଛି। କିନ୍ତୁ ଏହା ଭିତରେ ଗୋଟିଏ ଭଲ ଖବର ହେଉଛି ଯେ, ଆମେ ଚାହିଁଲେ ୯୦ ଭାଗ ଘଟଣାରେ ଷ୍ଟ୍ରୋକ୍‌କୁ ଦୂରେଇ ଦେଇ ପାରିବା। ବିଶେଷଜ୍ଞଙ୍କ ଭାଷାରେ ପରିବର୍ତ୍ତିତ ଜୀବନଧାରା ବା ସୁସ୍ଥ ଜୀବନଶୈଳୀକୁ ବାଛିନେଲେ ହୁଏତ ଜଣକୁ ଷ୍ଟ୍ରୋକ୍ ହୋଇନପାରେ।

ତଥ୍ୟ ଅନୁଯାୟୀ ଆଜି ପୃଥିବୀରେ ବିକାଶଶୀଳ ଏବଂ ଅଣବିକଶିତ ଦେଶଗୁଡ଼ିକରେ ଷ୍ଟ୍ରୋକ୍ ବୋଝ ଅଧିକ। କାରଣ ବିକଶିତ ଦେଶସମୂହରେ ବ୍ୟାପକ ସଚେତନତା ଏବଂ ଷ୍ଟ୍ରୋକ୍‌ର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଯୋଗୁଁ ଏହା ଉପରେ ଅନେକତଃ ନିୟନ୍ତ୍ରଣ ଆସିପାରିଛି। କିନ୍ତୁ ଘୋର ସଚେତନତାର ଅଭାବ ଏବଂ ଦୁର୍ବଳ ସ୍ୱାସ୍ଥ୍ୟଭିତ୍ତିଭୂମି ପାଇଁ ଆମ ଦେଶ ଭାରତ ଆଜି ଷ୍ଟ୍ରୋକ୍‌ ଆହ୍ୱାନରେ ପେଶି ହେବାକୁ ବସିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) ପକ୍ଷରୁ ହୋଇଥିବା ଏକ ଗବେଷଣା ଅନୁଯାୟୀ ଓଡ଼ିଶାରେ ଷ୍ଟ୍ରୋକ୍ ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ଓଡ଼ିଶାର କଟକ, ତାମିଲନାଡ଼ୁର ଥିରୁନେଲଭେଲି, ଉତ୍ତରପ୍ରଦେଶର ବାରଣାସୀ, ରାଜସ୍ଥାନର କୋଟା ଏବଂ ଆସାମର କାଚାର ଭଳି ଚାରୋଟି ଅଞ୍ଚଳକୁ ନେଇ ୨୦୧୮-୧୯ରେ କରାଯାଇଥିବା କ୍ଷେତ୍ର ଗବେଷଣାର ବିଶେଷ ରିପୋର୍ଟ ୨୦୨୧ରେ ପ୍ରକାଶ ପାଇଥିଲା। ଏଥିରୁ ମିଳିତ ତଥ୍ୟ ଅନୁଯାୟୀ ଏହି ପାଞ୍ଚୋଟି ସ୍ଥାନ ଭିତରେ କଟକ ଦ୍ୱିତୀୟ ସର୍ବାଧିକ ଷ୍ଟ୍ରୋକ୍ ପ୍ରଭାବିତ ସ୍ଥାନ ବୋଲି ଲକ୍ଷ୍ୟ କରାଯାଇଛି। ତେଣୁ, ଷ୍ଟ୍ରୋକ୍ ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି ସହ ଏହାର ଦୀର୍ଘସ୍ଥାୟୀ ମୁକାବିଲା ପାଇଁ ଓଡ଼ିଶାର ଜନସ୍ୱାସ୍ଥ୍ୟ ପଲିସି ଓ କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ବିଶେଷ ସ୍ଥାନ ଦେବାର ଏବେ ସମୟ ଆସିଛି।

ଷ୍ଟ୍ରୋକ୍ – ବିଶ୍ୱ ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ଆହ୍ୱାନ

ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍ ହେବା ପଛରେ ବିଭିନ୍ନ କାରଣ ଥାଇପାରେ। ତେବେ ତା’ଭିତରୁ ଏକ ବଡ଼ କାରଣ ହେଉଛି ଗଭୀର ମାନସିକ ଅବସାଦ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଲାଗି ରହିବା। ଡବ୍ଲ୍ୟୁଏଚଓ ଭାଷାରେ, ଯଦି ଆମେ ନିୟମିତ ଭାବେ ରକ୍ତଚାପକୁ ମାପିବା ଓ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଚିକିତ୍ସା ତଥା ଆବଶ୍ୟକ ଜୀବନଶୈଳୀକୁ ବାଛିନେବା ତେବେ ଉଚ୍ଚ ରକ୍ତଚାପଜନିତ ୧୦ଟି ଷ୍ଟ୍ରୋକ୍-ମୃତ୍ୟୁ ଘଟଣାରେ ପାଖାପାଖି ୪ଜଣଙ୍କ ଜୀବନ ବଞ୍ଚିଯାଇପାରିବ।

ମୋଟାମୋଟି ଭାବରେ ଷ୍ଟ୍ରୋକ୍ ଆଜି ପୃଥିବୀରେ ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି। ଅଣ-ସଂକ୍ରାମକ ରୋଗ (ନନ୍ କମ୍ୟୁନିକେବୁଲ୍ ଡିଜିଜ୍) କ୍ଷେତ୍ରରେ ଷ୍ଟ୍ରୋକ୍ ହୋଇଛି ସର୍ବାଧିକ ମୃତ୍ୟୁ ଏବଂ ଅକ୍ଷମତା ସୃଷ୍ଟିର କାରଣ। ତେଣୁ ଷ୍ଟ୍ରୋକ୍‌କୁ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ବୋଲି ନ କହି ଏକ ବିରାଟ ସାମାଜିକ ଓ ଅର୍ଥନୈତିକ ସଙ୍କଟ ବୋଲି କହିଲେ ହୁଏତ ଭୁଲ ହେବ ନାହିଁ। କାରଣ ଷ୍ଟ୍ରୋକ୍ ଆଜି ହଜାର ହଜାର ପରିବାରର ଜୀବନ ଜୀବିକାକୁ ପ୍ରଭାବିତ କରୁଛି। ଗଭୀର ଭାବେ ଦେଖିଲେ ଷ୍ଟ୍ରୋକ୍ ଆଜି ଗୋଟିଏ ଦେଶର ଆର୍ଥିକ ବିକାଶ ପଥରେ ମଧ୍ୟ ଏକ ବଡ଼ ପ୍ରାଚୀର ଭାବେ ଠିଆ ହୋଇଛି।

ଷ୍ଟ୍ରୋକ୍ ସଚେତନତା ଅଭିଯାନ

ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ୱ ଷ୍ଟ୍ରୋକ୍ ଦିବସ ଭାବେ ପାଳନ କରାଯାଉଛି। ଷ୍ଟ୍ରୋକ୍ ସହିତ ସମ୍ପୃକ୍ତ ଗୋଷ୍ଠୀ ଅର୍ଥାତ୍ ଡାକ୍ତର, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ବିଭିନ୍ନ ସାମାଜିକ ସଙ୍ଗଠନ, ଗଣମାଧ୍ୟମ ଏବଂ ଷ୍ଟ୍ରୋକ୍ ସଚେତନତା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ।

ସ୍ୱାସ୍ଥ୍ୟ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସାମୟିକ ବିଷୟରେ ବିଭିନ୍ନ ଅଂଶୀଦାର, ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆଇଏଫଆଇ ଫାଉଣ୍ଡେସନର ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ଆଗେଇ ନେବାକୁ ଯାଇ ଫାଉଣ୍ଡେସନ ପକ୍ଷରୁ ଷ୍ଟ୍ରୋକ୍‌କୁ ନେଇ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଅକ୍ଟୋବର ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ, ଦୁଇ ସପ୍ତାହ ବ୍ୟାପୀ ଏହି ଅଭିଯାନ ଭିତରେ ରହିଥିଲା ଡାକ୍ତର ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସାକ୍ଷାତକାର ଉପରେ ଆଧାରିତ ଭିଡିଓ ସିରିଜ୍‌ର ଡିଜିଟାଲ୍ ପ୍ରସାରଣ, ଷ୍ଟ୍ରୋକ୍ ସମ୍ପର୍କରେ ମୌଳିକ ତଥ୍ୟକୁ ନେଇ ସୂଚନାପତ୍ର ବା ନ୍ୟୁଜଲେଟର୍ ପ୍ରକାଶନ, ଗଣମାଧ୍ୟମ ସଚେତନତା କର୍ମଶାଳା ତଥା ବିଭିନ୍ନ ଅଂଶୀଦାର ଓ ବିଷୟ-ବିଶେଷଜ୍ଞମାନଙ୍କୁ ଏକାଠି କରି କନକ୍ଲେଭ୍ ଇତ୍ୟାଦି।

‘ଷ୍ଟ୍ରୋକମୁକ୍ତ ଜୀବନ’ – ଏହି ଅଭିଯାନରେ ଆଇଏଫଆଇ ଫାଉଣ୍ଡେସନ ସହ ଯୋଡ଼ି ହୋଇଛନ୍ତି ବହୁଭାଷୀ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟପ୍ଲସ୍ ନେଟୱାର୍କ’ ଏବଂ ଲୋକପ୍ରିୟ ଡିଜିଟାଲ୍ ପ୍ଲାଟଫର୍ମ ‘ଓଡ଼ିଶାଲାଇଭ୍’। ଏହି ମିଳିତ ଅଭିଯାନର ପାର୍ଟନର ଥିଲେ ‘ଆଇସିଏମଆର୍ ଆରଏମଆରସି ଭୁବନେଶ୍ୱର’, ‘ପବ୍ଲିକ୍ ହେଲ୍‌ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ’ ଏବଂ ‘ଇଣ୍ଡିଆନ୍ ପବ୍ଲିକ୍ ହେଲ୍‌ଥ ଆସୋସିଏସନ୍’।

ଜନସ୍ୱାସ୍ଥ୍ୟ ନୀତି ଓ କାର୍ଯ୍ୟକ୍ରମ

‘ଷ୍ଟ୍ରୋକମୁକ୍ତ ଜୀବନ’ ଅଭିଯାନ କେବଳ ଏକ ୧୫ ଦିନିଆ କାର୍ଯ୍ୟକ୍ରମ ନୁହେଁ, ବରଂ ଏହାକୁ ଆଗକୁ ନେବା ଲାଗି ବିଶେଷ ଲକ୍ଷ୍ୟ ରଖିଛି ଆଇଏଫଆଇ ଫାଉଣ୍ଡେସନ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ଜନସ୍ୱାସ୍ଥ୍ୟ ସଙ୍ଗଠନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଅନୁଷ୍ଠାନ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହଯୋଗକୁ ଆଧାରକରି ଏହାକୁ ଏକ ବିଶେଷ ରୂପ ଦେବା ଲାଗି ଆମେ ଉଦ୍ୟମ କରିବୁ। ଏ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ଆବଶ୍ୟକ।

ଆମେ ଅନୁଭବ କରୁ କି ନକରୁ, ଷ୍ଟ୍ରୋକ୍ ଆଜି ଆମ ଜନସ୍ୱାସ୍ଥ୍ୟ କ୍ଷେତ୍ର ବା ସାଧାରଣ ଭାବେ ଦେଖିଲେ ସମାଜ ପାଇଁ ଏକ ବଡ଼ ବୋଝ ହୋଇସାରିଛି। ତେଣୁ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରି ଷ୍ଟ୍ରୋକ୍‌କୁ ରୋକିବା ଆଜି ଦୁନିଆ ପାଇଁ ଏକ ବଡ଼ ଆହ୍ୱାନ। ତା’ଛଡ଼ା ଘର ହେଉ ବା ଅଫିସ୍ କି ସର୍ବସାଧାରଣ ସ୍ଥଳ, କୌଣସି ଜାଗାରେ କାହାର ଷ୍ଟ୍ରୋକ୍ ଭଳି ଲକ୍ଷଣ ଦେଖାଦେଲେ ତାହା ତୁରନ୍ତ ଚିହ୍ନଟ କରି ରୋଗୀଙ୍କୁ ନିକଟସ୍ଥ ଷ୍ଟ୍ରୋକ୍-ଉପଯୋଗୀ ଡାକ୍ତରଖାନାରେ ପହଞ୍ଚାଇବା ଆମ ସମସ୍ତଙ୍କର ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ।

କେବଳ ସେତିକି ନୁହେଁ, ସରକାରୀ ଏବଂ ଘରୋଇ କ୍ଷେତ୍ରରେ କିଭଳି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଷ୍ଟ୍ରୋକ୍-ଉପଯୋଗୀ ବା ଷ୍ଟ୍ରୋକ୍‌ରେଡ୍ଡି ହୋଇପାରିବେ ସେ ଦିଗରେ ମଧ୍ୟ ଆଜି ପ୍ରସ୍ତୁତ ହେବାର ସମୟ ଆସିଯାଇଛି। ଏଥିପାଇଁ ଆମ ଜନସ୍ୱାସ୍ଥ୍ୟ ନୀତି ଓ କାର୍ଯ୍ୟକ୍ରମ କ୍ଷେତ୍ରରେ ଏକ ବଡ଼ ଯୋଜନା କରିବାକୁ ହେବ। ସେହିପରି ଷ୍ଟ୍ରୋକ୍-ପୀଡ଼ିତ ବ୍ୟକ୍ତିମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଚିକିତ୍ସା ସହିତ ସେମାନଙ୍କର ଦୀର୍ଘସ୍ଥାୟୀ ପୁନର୍ବାସ ଲାଗି ଆମ ସରକାର ଓ ସମାଜକୁ ପ୍ରସ୍ତୁତ ହେବାକୁ ପଡ଼ିବ।

ଆସନ୍ତୁ, ଆମେ ସମସ୍ତେ ଏକାଠି ହେବା, ଷ୍ଟ୍ରୋକ୍‌କୁ ଜାଣିବା, ଜିଣିବା।

(ସିଦ୍ଧାର୍ଥ ରଥ ଜଣେ ଯୁବ ପଲିସି ବିଶେଷଜ୍ଞ, ବହୁଭାଷୀ ଡିଜିଟାଲ୍ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟପ୍ଲସ୍ ନେଟୱାର୍କ’ର ପ୍ରତିଷ୍ଠାତା ଓ ସିଇଓ ଏବଂ ‘ଆଇଏଫଆଇ ଫାଉଣ୍ଡେସନ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ସେ ‘ଆଇଏଫଆଇ ଫାଉଣ୍ଡେସନ’, ‘ସ୍ୱାସ୍ଥ୍ୟପ୍ଲସ୍’ ଏବଂ ‘ଓଡ଼ିଶାଲାଇଭ୍‌’ର ମିଳିତ ଷ୍ଟ୍ରୋକ୍ ସଚେତନତା ଅଭିଯାନର ନିର୍ଦ୍ଦେଶକ। ମତାମତ ବ୍ୟକ୍ତିଗତ।)

Tags: #WorldStrokeDay #StrokemuktaJibana #StrokeAwarenessCampaign #StrokeFreeWorld #CanbePrevented #IFIFoundation #Swasthyaplus

LEAVE A REPLY

Please enter your comment!
Please enter your name here