ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଶାଖାପାଟଣା ପୋଲିସର ନୂଆ କମିଶନର ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିସ୍ ଅଧିକାରୀ ଡାକ୍ତର ଶଙ୍ଖବ୍ରତ ବାଗଚି। ଏହି ଅବସରରେ ବିଶାଖାପାଟଣା ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।
ବିଶାଖାପାଟଣା ପୋଲିସ କମିଶନର ଭାବେ ଡାକ୍ତର ଶଙ୍ଖବ୍ରତ ବାଗଚି ପୂର୍ବତନ କମିଶନର ଏ ରବିଶଙ୍କରଙ୍କ ସ୍ଥାନ ନେଇଛନ୍ତି। ପୂର୍ବତନ ପୋଲିସ କମିଶନରଙ୍କୁ ଏବେ ଆନ୍ଧ୍ରପ୍ରଦେଶ ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
“ବିଶାଖାପାଟଣା ସହର ଆନ୍ଧ୍ରପ୍ରଦେଶର ଏକ ଉପକୂଳବର୍ତ୍ତୀ ସହର ଭାବେ ରାଜ୍ୟରେ ବହୁ ଗୁରୁତ୍ୱ ହାସଲ କରିଛି। ଏଠାରେ ନିଶା କାରବାର ବିରୋଧୀ ଅଭିଯାନ, ସାଇବର ସୁରକ୍ଷା, ଜମି ଦଖଲ, ଟ୍ରାଫିକ, ଶିଶୁ ଓ ମହିଳାଙ୍କ ସୁରକ୍ଷା ପ୍ରତି ପୋଲିସ ପକ୍ଷରୁ ବିଶେଷ ଧ୍ୟାନ ଦିଆଯିବ”, କହିଛନ୍ତି ଡାକ୍ତର ଶଙ୍ଖବ୍ରତ ବାଗଚି।

ଡାକ୍ତର ଶଙ୍ଖବ୍ରତ ବାଗଚି ହେଉଛନ୍ତି ୧୯୯୬ ବ୍ୟାଚର ଆଇପିସ୍ ଅଧିକାରୀ। ଏହାପୂର୍ବରୁ ସେ ଆନ୍ଧ୍ରପ୍ରଦେଶ ପୋଲିସର ଅତରିକ୍ତ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଭାବେ କାର୍ଯ୍ୟରତ ଥିଲେ।
ଡାକ୍ତର ଶଙ୍ଖବ୍ରତ ବାଗଚି ଜାତୀୟ ପୋଲିସ ସେବାରେ ଯୋଗ ଦେବା ପୂର୍ବରୁ କୋଲକାତାର ଏକ କର୍ପୋରେଟ ହସ୍ପିଟାଲରେ ଡାକ୍ତର ରୂପେ କାର୍ଯ୍ୟ କରୁଥିଲେ। ସେ ଦେଶର ପ୍ରଥମ ମେଡିକାଲ କଲେଜ କଲିକତା ମେଡିକାଲ କଲେଜରୁ ଡାକ୍ତରୀ ପାଠ୍ୟକ୍ରମରେ ଟ୍ରିପଲ ସ୍ୱର୍ଣ୍ଣ ପଦକ ବିଜେତା ରହିଛନ୍ତି।
Tags: #DrSankhabrataBagchi #IPS #PoliceCommissioner #Vishakhapatnam #AndhraPradesh