ଡକ୍ଟର ଭାସ୍କର ମିଶ୍ର
![](https://odisha.live/wp-content/uploads/2018/07/chera-pahanra-gajapati-1024x683.jpg)
ଗଜପତି ମହାରାଜା ଶ୍ରୀମନ୍ଦିରର ଆଦ୍ୟ ସେବକ। ଏହି ସେବା ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା। ରଥଯାତ୍ରାରେ ତିନି ରଥରେ ବିଜେ ଓ ବାହୁଡା ଯାତ୍ରାରେ ଛେରା ପହଁରା ଓ ଅନ୍ୟ ନୀତି କରନ୍ତି ଗଜପତି ମହାରାଜା। ଏତଦ୍ବ୍ୟତୀତ ସେ ଚନ୍ଦନ ଯାତ୍ରା ସମୟରେ ଚାପ ଉପରେ ପ୍ରଥମ ଦିନ ଓ ଶେଷଦିନ, ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀ ଉପରେ, ଦୋଳପୂର୍ଣ୍ଣମୀ ଦିନ ଦୋଳ ବେଦୀ ଉପରେ ଛେରା ପହଁରା କରିଥାନ୍ତି।
ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଏ ସେବା କରିପାରିବେ। ଶ୍ରୀଜୀଉମାନଙ୍କ ରାଜବେଶମାନଙ୍କରେ ଗଜପତି ମହାରାଜା ମନ୍ଦିରକୁ ବିଜେ କଲେ ରାଜ ନୀତି କରିବେ। ଏପରିକି ମନ୍ଦିରକୁ ପାଲିଙ୍କିରେ ବାଜା ଓ କାହାଳି ସହ ଯାଇପାରିବେ ଏବଂ ପାଲିଙ୍କି ସିଂହଦ୍ୱାର ବେଢ଼ାରେ ରହେ। ଏହି ସମୟରେ କରଣ, ପରିଚ୍ଛା ଓ ଅନ୍ୟାନ୍ୟ ସେବକମାନେ ରାଜାଙ୍କୁ ଭିତରକୁ ପାଛୋଟି ନିଅନ୍ତି।
ରାଜାଙ୍କ ଆଗେ ପରିଚ୍ଛା ସୁନାବେତ ଧରି ପାସରେ ଥିବେ। (ବିଗତ ଅନେକ ବର୍ଷ ଧରି ପରିଚ୍ଛା ସୁନା ବେତ ଧରୁନଥିବା ଜଣାଯାଏ।) ରାଜାଙ୍କ ସହ ରାଣୀ ମନ୍ଦିରକୁ ବିଜେ କଲେ ତାଙ୍କ ସବାରି ଭିତର ବେଢ଼ା ମଧ୍ୟସ୍ଥ ବଟବୃକ୍ଷ ପର୍ଯ୍ୟନ୍ତ ଯାଏ। ମନ୍ଦିରର ଭିତର ଓ ବେଢ଼ା ଖାଲି ହୋଇ ସମ୍ପୂର୍ଣ୍ଣ ଶୋଧ କରାଯାଏ। କରଣ ଓ କର୍ମଚାରୀମାନେ ରୋଷ ଘର ପଟେ ରହିବାବେଳେ କେବଳ ମୁଦିରସ୍ତ ତାଙ୍କ ସହ ରହି ଦର୍ଶନ କରାନ୍ତି। ଏହାକୁ ‘ଗହଣ ବିଜେ’ କୁହାଯାଏ। ଗହଣ ବିଜେରେ ରାଜା ଓ ନହରର ଦାସୀ ମଧ୍ୟ ଯାଇଥାନ୍ତି।
![](https://odisha.live/wp-content/uploads/2018/07/Rath-Yatra6-1024x768.jpg)
ଗଜପତି ମହାରାଜାଙ୍କ ଅନ୍ୟାନ୍ୟ ସେବା ମଧ୍ୟରେ ଆଶ୍ୱିନ ପର୍ବରେ ଗୁଆ ନଡ଼ିଆ ଦେଲେ ବିମଳା ଓ ଅନ୍ୟାନ୍ୟ ଦେବୀ ପୀଠରେ ବ୍ରାହ୍ମଣମାନେ ବରଣ ହୋଇ କର୍ମ କରନ୍ତି। ନବକଳେବର ସମୟରେ (ବିଶ୍ୱାବସୁ) ଦଇତା ଓ ବ୍ରାହ୍ମଣମାନଙ୍କୁ ଗୁଆ ଟେକି ଦିଅନ୍ତି। ଲକ୍ଷ୍ମୀ ନାରାୟଣ ଭେଟରେ ନଅର ଦୁଆରେ ବନ୍ଦାପନା ଇତ୍ୟାଦି ନୀତି କରନ୍ତି। ଚମ୍ପକ ଦ୍ୱାଦଶୀ ଦିନ ବରକନ୍ୟାକୁ ନହର ଦ୍ୱାରରୁ ପାଛୋଟି ନିଅନ୍ତି ଓ ରାଜନୀତି କରିଥାନ୍ତି। ଶ୍ରୀନହରକୁ ରାଜପ୍ରସାଦ ଓ ଖଡ଼ି ପ୍ରସାଦ ବିଜେ ହୁଏ ଓ ସେଠାରେ ରାଜା ଶାଢ଼ି ଦିଅନ୍ତି।
ପ୍ରତ୍ୟହ ମଙ୍ଗଳ ଆରତୀ ପ୍ରସାଦ, ପହୁଡର (ଜଗନ୍ନାଥଙ୍କ ବାଡର) ପଇଡ, ମାଳ, ଚୂଳ ଇତ୍ୟାଦି ଚର୍ଚ୍ଚାବାଲା ନହରକୁ ନେଇ ଯାଇଥାନ୍ତି। ପାଳିଆ ମୁଖ ପଖାଳ ପଢ଼ିଆରୀ ଦୈନିକ ଅବକାଶ ଜଳ ନେଇ ଦିଏ। ପ୍ରତ୍ୟେକ ଧୂପରେ, ପର୍ବପର୍ବାଣୀମାନଙ୍କରେ, ଶ୍ରାଦ୍ଧ ଓ ସ୍ୱ-ନକ୍ଷତ୍ରରେ ବଡୁ ମହାପାତ୍ର ଶ୍ରୀନହରକୁ ତାଟ ନେଇ ଦିଏ।
ଏତଦ୍ବ୍ୟତୀତ ରାଜା, ରାଣୀ ଓ ଜେନାମଣିଙ୍କୁ ଦୈନନ୍ଦିନ ମହାପ୍ରସାଦ ଖେଇ ସ୍ୱରୂପ ମିଳେ। ରାଜା, ରାଣୀ ଓ ତାଙ୍କ ସନ୍ତାନଙ୍କ ସ୍ୱ-ନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ନହରକୁ ତାଟ ଯାଏ। ଗଜପତି ମହାରାଜା ଆଦ୍ୟ ସେବକ ଥିବାରୁ ପରିଚାଳନା ଭାର ନଥିଲେ ମଧ୍ୟ ଉପସ୍ୱତ୍ତ୍ୱ ଓ ଖେଇ ପାଇବେ ତଥା ସେବା କରିପାରିବେ।
![](https://odisha.live/wp-content/uploads/2018/07/rath-5-1024x683.jpg)
ରାଜ୍ୟ ସରକାର ୧୯୬୦ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେବା ପରଠାରୁ ପୁରୀ ଗଜପତି ମହାରାଜା ଶ୍ରୀମନ୍ଦିର ଆଇନ୍ ଅନୁଯାୟୀ ବଂଶାନୁକ୍ରମିକ ଭାବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରୂପେ ରହିଛନ୍ତି। ୧୯୬୦ ମସିହାରୁ ୧୯୭୦ମସିହା ପର୍ଯ୍ୟନ୍ତ ଶ୍ରୀ ବୀରକିଶୋର ଦେବ ଅଧ୍ୟକ୍ଷ ରୂପେ ରହିଥିଲେ। ସମ୍ପ୍ରତି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଅଧ୍ୟକ୍ଷ ରୂପେ କାର୍ଯ୍ୟ ତୁଲାଉଛନ୍ତି।
ଏହି ରାଜାଙ୍କ ବଂଶରେ ଲ ଅଫ୍ ପ୍ରିମୋଗେନିଚର୍ ପ୍ରଚଳିତ। ତେଣୁ ଜ୍ୟେଷ୍ଠପୁତ୍ର (ଜେନାମଣି) ଏ ସେବାର ଉତ୍ତରାଧିକାରୀ ହୁଅନ୍ତି। କେବଳ ପୁରୁଷ ଉତ୍ତରାଧିକାରୀ ରାଜା ହୋଇ ସେବା କରିପାରିବେ। ଝିଅ ହୋଇଥିଲେ ଏ ସେବା କରିପାରିବେ ନାହିଁ। ତେଣୁ ପରମ୍ପରାରୁ ରାଜାଙ୍କ ପୁତ୍ର ନଥିଲେ ପୋଷ୍ୟପୁତ୍ର ଗ୍ରହଣ କରନ୍ତି। ରାଜା ବ୍ରତୋପନୟନ ଓ ଅଭିଷେକ ପରେ ଏ ସେବା କରନ୍ତି। ଯଦି ଅଭିଷେକ ହୋଇନଥାନ୍ତି, ଏହାଙ୍କ ସେବା ଯେତେଦୂର କରାଯାଇପାରେ, ମୁଦିରସ୍ତ କରିଥାନ୍ତି।
Tags: #Rathajatra #GajapatiMaharaja #CheraPahanra #Culture #Puri #Odisha