ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ମଙ୍ଗଳବାର ନିଜ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ନିଜ ବକ୍ତବ୍ୟରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀମାନେ ଦେଶବାସୀଙ୍କୁ ମିଛ କହି ଭ୍ରମିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସମୟରେ ବିରୋଧୀ ଦଳର ସାଂସଦମାନେ ପ୍ରବଳ ନାରାବାଜି କରିଥିଲେ।

“ଭାରତ ନିକଟରେ ବିଶ୍ଵର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାକୁ ସଫଳତାର ସହ ସମ୍ପୂର୍ଣ୍ଣ କରିଛି। ଆମକୁ ଦେଶର ଲୋକମାନେ ତୃତୀୟ ଥର ସରକାର ଗଢ଼ିବା ପାଇଁ ମଉକା ଦେଇଛନ୍ତି। ଲୋକସଭା ସହ ଯେଉଁ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା, ସେ ସବୁ ରାଜ୍ୟରେ ଏବେ ଏନଡିଏର ସରକାର ଗଠନ ହୋଇଛି। ଏନଡିଏକୁ ମିଳିଥିବା ଏହି ଜନାଦେଶ ପାଇଁ ମୁଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି”, କହିଛନ୍ତି ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, “କଂଗ୍ରେସ ନିଜ ଏଥରକୁ ମିଶାଇ ଲଗାତର ୩ ଥର ୧୦୦ ଆସନ ଛୁଇଁପାରିନାହିଁ। ଏହା କଂଗ୍ରେସର ତୃତୀୟ ସବୁଠାରୁ ଖରାପ ପ୍ରଦର୍ଶନ। ୧୯୮୪ ନିର୍ବାଚନ ପରେ ଦେଶରେ ୧୦ଟି ଲୋକସଭା ନିର୍ବାଚନ ହୋଇଛି, ହେଲେ କୌଣସି ନିର୍ବାଚନରେ ଦଳ ୨୫୦ରୁ ଅଧିକ ଆସନ ପାଇପାରିନାହିଁ । କଂଗ୍ରେସ ଏଥର ୫୪୩ରୁ ୯୯ଟି ଆସନ ପାଇ ମିଠା ବାଣ୍ଟୁଛି।”

ସେ ଆହୁରି ମଧ୍ୟ କହିଛନ୍ତି, “୨୦୧୪ ପୂର୍ବରୁ ଗୋଟଏ ପରେ ଗୋଟିଏ ଦୁର୍ନୀତି ଦେଶର ସମ୍ବାଦପତ୍ରର ହେଡଲାଇନ ପାଲଟୁଥିଲା। ଆମେ ଆସିବା ପରେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିରେ କାର୍ଯ୍ୟ କରିଛୁ। ଦେଶରେ ତୁଷ୍ଟିକରଣର ରାଜନୀତି ବନ୍ଦ ହୋଇଛି। ଭାରତ ଆଜି ବିଶ୍ଵର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି ଏବଂ ଆଗକୁ ତୃତୀୟ ବୃହତ୍ ଅର୍ଥନୀତି ହେବ।”

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ସୋମବାର ରାହୁଲ ଗାନ୍ଧୀ ହିନ୍ଦୁ ସମାଜ ଉପରେ ଦେଇଥିବା ବୟାନକୁ ନିନ୍ଦା କରିଥିଲେ। ଏହି ସମୟରେ ବିରୋଧୀ ସାଂସଦମାନେ ହଙ୍ଗାମା ଆରମ୍ଭ କରିଥିଲେ। ମଣିପୁର, ଅଗ୍ନିବୀର ଓ ନିଟ୍ ଭଳି ପ୍ରସଙ୍ଗକୁ କେନ୍ଦ୍ର କରି ସେମାନେ ନାରାବାଜି କରିଥିଲେ।

Tags: #NarendraModi #PrimeMinisterofIndia #Loksabha #Politics #India

LEAVE A REPLY

Please enter your comment!
Please enter your name here