ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଘରେ ଦଳୀୟ ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟିକ ପ୍ରମିଳା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ବିଜେଡିରେ ବଢୁଥିବା ଅନ୍ତଃକନ୍ଦଳକୁ ନେଇ ବୈଠକରେ ଚର୍ଚ୍ଚା ହୋଇଛି ବୋଲି କୁହାଯାଉଛି।

ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଦଳର କିଛି କର୍ପୋରେଟର ମଧ୍ୟ ସାମିଲ ହୋଇଥିଲେ। ଭୁବନେଶ୍ୱରରେ ବିଜେଡି କର୍ପୋରେଟରଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ନେଇ ବୈଠକରେ ଚର୍ଚ୍ଚା ହୋଇଛି। ତେବେ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି ବୋଲି ଏଠାରେ ଅଭିଯୋଗ କରିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା।

“କିଛି ଲୋକ ଆମ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ଦଳରେ ହିଁ କିଛି ବିଭୀଷଣ ନିଶ୍ଚିତ ଭାବରେ ଅଛନ୍ତି। ସେମାନେ ଆମ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚାହୁଁଛନ୍ତି। ହେଲେ ଆମେ ଏକଜୁଟ ଅଛୁ। ଏନେଇ ଦଳ ସଭାପତିଙ୍କୁ ଅବଗତ କରାଯାଇଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ”, କହିଛନ୍ତି ଅମରେଶ ଜେନା।

ଓଡ଼ିଶାରେ ସରକାର ବଦଳିବା ପରେ ଭୁବନେଶ୍ୱରରେ କିଛି ବିଜେଡି କର୍ପୋରେଟର ଦଳ ପ୍ରତି ଅସନ୍ତୁଷ୍ଟ ଥିବା କୁହାଯାଉଛି। ତେବେ ଏସବୁ ଭିତରେ ବିଜେଡିର ତୁଙ୍ଗ ନେତାମାନଙ୍କ ବୈଠକ କରିବା ଚର୍ଚ୍ଚାକୁ ଆହୁରି ବଳ ଦେଉଛି।

Tags: #BJD #Politics #Bhubaneswar #Odisha

Comment