ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ଅନେକ ଅନନ୍ୟ ପରମ୍ପରା। ତା’ମଧ୍ୟରେ ମହାଲକ୍ଷ୍ମୀଙ୍କୁ ନେଇ ରହିଛି କେତୋଟି ନୀତି। ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ ସାଥୀରେ ନ ନେଇ ବାହାର ଯାତ୍ରା କରିଥିବାରୁ ଲକ୍ଷ୍ମୀ ରୋଷ ପ୍ରକଟ କରିଥାନ୍ତି। ଫେରିବା ବେଳେ ରାଗରେ ଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗିବା ପରମ୍ପରା ରହିଛି।

ସେହିପରି ବାହୁଡ଼ା ଦିନ ଆଉ ଏକ ଅନନ୍ୟ ପରମ୍ପରା ରହିଛି, ଯାହାର ନାଁ ହେଉଛି ଲକ୍ଷ୍ମୀ-ନାରାୟଣ ଭେଟ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥାଏ।

ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ପାଲିଙ୍କି ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଏ। ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚନ୍ତି। ପରମ୍ପରା ଅନୁଯାୟୀ ସେହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ରଥ ଘେର ପକାଯାଇଥାଏ। ଶ୍ରୀନଅର ସିଂହଦ୍ଵାରରେ ଗଜପତି ମହାରାଜା ଉପସ୍ଥିତ ହୋଇଥାନ୍ତି।

ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି। ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅରଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ଵାରଠାରେ ରଖାଯାଇଥାଏ। ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡୁ, ବିମାନବଡୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିଥାନ୍ତି।

Tags: #RathJatra #Puri #Jagannath #CarFestival #ଶ୍ରୀଜଗନ୍ନାଥ #ରଥଯାତ୍ରା #ଶ୍ରୀକ୍ଷେତ୍ର

LEAVE A REPLY

Please enter your comment!
Please enter your name here