ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର ସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁରୁବାର ସେ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଥିଲେ। ଏହାପରେ ସେ ଭବନର ତୃତୀୟ ମହଲାରେ ଥିବା ନିଜ ପ୍ରକୋଷ୍ଠରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ।

ଲୋକସେବା ଭବନରେ କାମ ଆରମ୍ଭ କରିବାପରେ ଏବେଠୁ ଓଡ଼ିଆ ଭାଷାରେ ସବୁ ସରକାରୀ କାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

“ଓଡ଼ିଶାର ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଆମ ସରକାରରେ ଗୁରୁତ୍ଵ ଦିଆଯିବ। ଓଡ଼ିଆ ଅସ୍ମିତାର ସଂରକ୍ଷଣ ଓ ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। ପ୍ରତି ଜିଲ୍ଲାରେ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ହେବାସହ ଆଗକୁ ରାଜ୍ୟରେ ଅନୁବାଦ ଏକାଡେମୀ ଏବଂ ଓଡ଼ିଆ ଅସ୍ମିତା ଭବନର ନିର୍ମାଣ କରାଯିବ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ମଧ୍ୟ ଗଠନ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଲୋକସେବା ଭବନର କାର୍ଯ୍ୟାଳୟରେ ପୂଜାପାଠ କରାଯାଇଥିଲା। ଏହାପରେ ଏଠାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ଆରମ୍ଭ କରିଥିଲେ।

ଜୁନ୍ ୧୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ଚରଣ ମାଝୀ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାମ କରୁଥିଲେ। ଏହି ଅବଧି ମଧ୍ୟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନବୀକରଣ କରାଯାଇଥିଲା।

Tags: #MohanCharanMajhi #CMOOdisha #LoksebaBhaban #Bhubaneswar

LEAVE A REPLY

Please enter your comment!
Please enter your name here