ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲରୁ ମୁକୁଳିବା ପରେ ତୃତୀୟ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଗୁରୁବାର ଦିନ ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ରାଜଭବନଠାରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଚମ୍ପଇ ସୋରେନ ବୁଧବାର ଦିନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଜମି ଦୁର୍ନୀତି ମାମଲାରେ ଗତ ଜୁନ ୨୮ ତାରିଖରେ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଥିଲେ ଝାଡ଼ଖଣ୍ଡ ହାଇକୋର୍ଟ।

ପ୍ରାୟ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗତ ଜାନୁଆରି ୩୧ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ତାଙ୍କୁ ଗିରଫ କରାଯାଇଥିଲା।

ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ବାରମ୍ବାର ହେମନ୍ତ ସୋରେନଙ୍କୁ ସମନ ଜାରି କରାଯାଇଥିଲେ ମଧ୍ୟ ସେ ଆସିନଥିଲେ। ଫଳରେ ଗିରଫ ପୂର୍ବରୁ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢ଼ଉ କରିଥିଲା ଇଡି। ଏହି ସମୟରେ ନଗଦ ୩୬ ଲକ୍ଷ ଟଙ୍କା ଦୁଇଟି ଦାମୀ ଗାଡ଼ି ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା।

Tags: #Politics #HemantSoren #CMJharkhand #OathTakingCeremony #EDCase #HemantSoren #Bail

Comment