ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ କାକଟପୁର ବିଧାନସଭା ଆସନରୁ ୭ ଥର ବିଧାୟକ ନିର୍ବାଚିତ ହୋଇଥିଲେ।

ସୁରେନ୍ଦ୍ର ନାଥ ନାୟକ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ୨୦୧୯ ମସିହାରେ ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।  

ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ରାଜନୈତିକ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକମାନେ ସୁରେନ୍ଦ୍ର ନାଥ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।   

୧୯୭୧ ମସିହାରେ ସୁରେନ୍ଦ୍ର ନାଥ ନାୟକ ପ୍ରଥମଥର ଉତ୍କଳ କଂଗ୍ରେସ ଟିକେଟରେ ପୁରୀ ଜିଲ୍ଲା କାକଟପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଏଠାରୁ ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସୁରେନ୍ଦ୍ରନାଥ ନାୟକ ନିଜ ଦୀର୍ଘ ରାଜନୈତିକ ଜୀବନରେ ଓଡ଼ିଶାର କୃଷି ଓ ଶିକ୍ଷା ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ୧୯୭୭ ମସିହାରେ ସେ ବିଧାନସଭାର ଉପବାଚସ୍ପତି ହୋଇଥିଲେ। ଏହାସହ ବିଜେଡି ସରକାର ଥିବା ସମୟରେ ସେ ବିଭିନ୍ନ ଦାୟିତ୍ୱ ବହନ କରିଥିଲେ।

Tags: #SurendranathNaik #FormerMinister #Politician #Politics #Kakatpur #Puri #Odisha

LEAVE A REPLY

Please enter your comment!
Please enter your name here