ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ସରକାର ଅମଳରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହୋଇଥିବା କମିଟିକୁ ଭଙ୍ଗି ନୂଆ କମିଟି ଗଠନ କରିଛନ୍ତି ବିଜେପି ସରକାର। ନୂଆ କମିଟି ଗଠନକୁ ନେଇ ଏବେ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି।

ମନ୍ଦ ଉଦ୍ଦେଶ୍ୟ ରଖି ପୁରୁଣା କମିଟିକୁ ଭାଙ୍ଗାଯାଇଛି – ପ୍ରମିଳା ମଲ୍ଲିକ

ମନ୍ଦ ଉଦ୍ଦେଶ୍ୟ ରଖି ପୁରୁଣା କମିଟି ଭଙ୍ଗି ରାଜ୍ୟ ସରକାର ନୂଆ କମିଟି ଗଠନ କରିଥିବା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ନେଇ ବିଭାଗୀୟ ମନ୍ତ୍ରୀ ବିଭ୍ରାନ୍ତିକର ସୂଚନା ଦେଉଛନ୍ତି। କେବେ ରତ୍ନଭଣ୍ଡାର ଖୋଲାଯିବ ସ୍ପଷ୍ଟ କରିପାରୁ ନାହାନ୍ତି। ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ଚକ୍ରାନ୍ତ ଚାଲିଛି। ମନ୍ଦ ଉଦ୍ଦେଶ୍ୟ ନଥିଲେ ଜଷ୍ଟିସ ଅରଜିତ ପଶାୟତଙ୍କୁ ରାଜ୍ୟ ସରକାର ହଟାଇ ନଥାନ୍ତେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

ନିମନ୍ତ୍ରଣ କରି ଜଷ୍ଟିସ୍ ପଶାୟତଙ୍କୁ କମିଟିରୁ ହଟାଇବା ଅଶୋଭନୀୟ – ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

ରତ୍ନଭଣ୍ଡାର ପାଇଁ ଗଠନ କରାଯାଇଥିବା ନୂଆ କମିଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ। ହଠାତ ପୁରୁଣା କମିଟିକୁ ଭାଙ୍ଗି ନୂଆ ସରକାର ନୂଆ କମିଟି ଗଠନ କରିବାକୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଯଦି ଜଷ୍ଟିସ ଅରଜିତ ପଶାୟତଙ୍କୁ ବଳାଇବାର ଥିଲା, ତେବେ ତାଙ୍କୁ ଆସିବା ପାଇଁ ରାଜ୍ୟ ସରକାର କାହିଁକି ନିମନ୍ତ୍ରଣ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ। ଜଷ୍ଟିସ ପଶାୟତ ଓଡ଼ିଶାରେ ପହଞ୍ଚିଥିବାବେଳେ ତାଙ୍କୁ କମିଟିରୁ ହଟାଇଦେବା ଅଶୋଭନୀୟ ଏବଂ ନିନ୍ଦନୀୟ ବୋଲି ସେ କହିଛନ୍ତି।

କମିଟି ଭଙ୍ଗା ଯାଇନାହିଁ, ରିପ୍ଲେସ ହୋଇଛି – ଆଇନମନ୍ତ୍ରୀ

ରତ୍ନଭଣ୍ଡାର ନୂଆ କମିଟି ଗଠନକୁ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଆଣିଥିବା ଅଭିଯୋଗ ପରେ  ଏହାର ପାଲଟା ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ସେ କହିଛନ୍ତି, କମିଟିକୁ ଭଙ୍ଗା ଯାଇ ନାହିଁ, ପୁନଃଗଠନ କରାଯାଇଛି। ସରକାରଙ୍କୁ ଯାହା ସୁବିଧା ହେଉଛି ସେହି ଅନୁସାରେ ନିଷ୍ପତ୍ତି ନିଆଯାଉଛି। ବିଜେଡି ସରକାର ସମୟରେ ଗଠନ କରାଯାଇଥିବା କମିଟି ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ପଦକ୍ଷେପ ନେଇନଥିଲେ।  

ସେ କହିଛନ୍ତି, “ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ। ୨୪ ବର୍ଷର ଶାସନ କାଳ ଭିତରେ ବିଜେଡି ସରକାର ଯାହା କରିପାରିନାହାନ୍ତି, ୨୪ ଦିନର ବିଜେପି ସରକାର ତାହା କରିବାକୁ ଯାଉଛନ୍ତି। ରତ୍ନଭଣ୍ଡାର ଖୋଲିବା ଲାଗି ଉପଯୁକ୍ତ ପଦକ୍ଷେପ ନିଆଯାଇଛି।”

ଆସନ୍ତାକାଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ବସିବ ଏବଂ କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ତାରିକ ନିର୍ଦ୍ଧାରଣ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।

ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ଏହି ମାମଲା ଓଡ଼ିଶା ହାଇକୋର୍ଟରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଗତବର୍ଷ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୪ ଫେବ୍ରୁଆରି ୨୯ ତାରିଖରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠନ କରିଥିଲେ ବିଜେଡି ସରକାର। ତେବେ ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠିତ ପୁରୁଣା କମିଟି ଭାଙ୍ଗି ନୂଆ କମିଟି ଗଠନ କରିଛନ୍ତି।

ନିର୍ବାଚନର କିଛି ମାସ ପୂର୍ବରୁ ବିଜେଡି ସରକାର ଗଠନ କରିଥିବା ଏହି କମିଟି ରତ୍ନଭଣ୍ଡାର ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଏହି କମିଟିକୁ ଭାଙ୍ଗି ନୂଆ କମିଟି ଗଢ଼ିଛନ୍ତି ନୂଆ ସରକାର। ସରକାର ଗଢ଼ିଲେ ରତ୍ନଭଣ୍ଡାର ଖୋଲାଯିବ ବୋଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଏବେ ତତ୍ପରତା ପ୍ରକାଶ କରିଛି ଦଳ।

Tags: #Politics #OdishaPolitics #Ratnabhandar #Shreemandir #NewCommittee #Puri #Odisha #OdishaGovt

LEAVE A REPLY

Please enter your comment!
Please enter your name here