ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ରବିବାର ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା। ଆଜି ଗୋଟିଏ ଦିନରେ ଅନୁଷ୍ଠିତ ହେବ ବଡ଼ଠାକୁରଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା।
ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବ ଦିନ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବା ପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯାଇଛି।
ମଧ୍ୟାହ୍ନ ୧ଟା ୧୦ରେ ବଡ଼ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ ଓ ସାଢ଼େ ୨ଟାରେ ପହଣ୍ଡି ସରିବ। ଏହା ପରେ ଅପରାହ୍ଣ ୪ଟାରେ ଗଜତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ନୀତି କରିବେ। ୪ଟା ୩୦ରେ ଚାର ଫିଟା ଓ ଘୋଡ଼ା ସାରଥୀ ଲାଗିବା ପରେ ୫ଟାରେ ରଥଟଣା ଆରମ୍ଭ ହେବ।
ଶ୍ରୀଗୁଣ୍ଡିଚା ପୂର୍ବ ରାତି ୨ଟାରେ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହେବା ପରେ ରାତି ୨ଟା ୧୦ରେ ମଇଲମ ନୀତି, ୨ଟା ୩୦ରେ ଅବକାଶ ନୀତି, ୨ଟା ୪୦ରେ ଦଶ ଅବତାର ଠାକୁର ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ରାତି ୩ଟାରେ ତାଟି ଫିଟିବା ନୀତି, ୩ଟା ୩୦ରେ ଧୂଆଧୋଇ ହୋଇ ଚୂନ ପଡ଼ିବା ନୀତି, ୩ଟା ୪୫ରେ ବନ୍ଦାପନା, ୪ଟାରେ ନେତ୍ରୋତ୍ସବ ବନ୍ଦାପନା ନୀତି ହୋଇଛି।
ରବିବାର ପ୍ରାତଃ ୪ଟାରେ ରୋଷ ହୋମ ନୀତି ଅନୁଷ୍ଠିତ ହେବା ପରେ ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ ନୀତି ଅନୁଷ୍ଠିତ ହୋଇଛି। ଏହା ପରେ ସକାଳ ୬ଟାରୁ ୭ଟା ଗୋପାଳ ବଲ୍ଲଭ ଓ ଘଣ୍ଟ ଛତା ସକାଳଧୂପ ଅନୁଷ୍ଠିତ ହୋଇଛି। ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ।
ଚଳିତ ବର୍ଷ ଦୁଇଦିନ ରଥ ଟାଣିବାକୁ ସୁଯୋଗ ପାଇବେ ଭକ୍ତ। ରଥଯାତ୍ରା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି ପୁରୀରେ। ଏହି ଅବସରରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Tags: #RathYatra #ShreeGundichaJatra #Shreekhetra #Pahandibije #Culture #Tradition #Puri #Odisha #ShreeJagannath