ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ପାଳନ ହୋଇଆସୁଛି ବଡ଼ଠାକୁରଙ୍କ ରଥଯାତ୍ରା। ରାଜ୍ୟର ଭଦ୍ରାଚଲମଠାରେ ଥିବା ହେଭି ୱାଟର ପ୍ଲାଣ୍ଟରେ କାର୍ଯ୍ୟରତ ପ୍ରବାସୀ ଓଡ଼ିଆମାନେ ଏଠାରେ ୨୫ ବର୍ଷ ତଳେ ଉତ୍କଳ ପାଠାଗାର ନାମରେ ଏକ ଓଡ଼ିଆ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ସେବେଠାରୁ ଏହି ଅନୁଷ୍ଠାନର ଓଡ଼ିଆ ସଦସ୍ୟମାନେ ପ୍ରତିବର୍ଷ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ କରିଆସୁଛନ୍ତି।

କେବଳ ପ୍ରବାସୀ ଓଡ଼ିଆ ନୁହନ୍ତି ପ୍ଲାଣ୍ଟରେ କାର୍ଯ୍ୟରତ ଅନ୍ୟ ଭାଷାଭାଷୀର କର୍ମଚାରୀ ମଧ୍ୟ ରଥଯାତ୍ରାରେ ସାମିଲ ହେବା ସହ ଏଥିରେ ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି।

ଚଳିତ ବର୍ଷ ଆଡ଼ମ୍ବର ସହକାରେ ରଥଯାତ୍ରାର ଆୟୋଜନ କରାଯାଇଛି। ରବିବାର ଦିନ ପ୍ଲାଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଛେରା ପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥ ଟଣା କାର୍ଯ୍ୟ। ସଂଗଠନର ସଭାପତି ଅରୁଣ ମହାପାତ୍ର, ସମ୍ପାଦକ ସରୋଜ ଦାସ ଓ ମଦନ ମୋହନ ସାହୁଙ୍କ ତତ୍ୱାବଧାନରେ ରଥଟଣା କାର୍ଯ୍ୟ ସମାପନ ହୋଇଥିଲା। ଏହି ଅବସରରେ ଭକ୍ତମାନଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚାଘରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ପ୍ରତ୍ୟହ ଭଜନ ସନ୍ଧ୍ୟା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମଦନ ମୋହନ ସାହୁ କହିଛନ୍ତି।

Tags: #RathYatra #Telengana #RathaJatra2024 #ShreeGundicha #Culture #PrabasiOdia

Comment