ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗଡ଼ିଲା ମହାପ୍ରଭୁଙ୍କ ରଥ। ପରମ୍ପରା ଅନୁଯାୟୀ ସୋମବାର ଅପରାହ୍ଣ ୩ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥ ଟାଣିବାକୁ ବାରିପଦା ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଭକ୍ତ।
ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ବାରିପଦାର ବଡ଼ଦାଣ୍ଡରେ ଗଡ଼ିଥିଲା। ପ୍ରବଳ ଉତ୍ସାହରେ ମହିଳା ଭକ୍ତମାନେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦଉଡ଼ିକୁ ଟାଣି ଟାଣି ନେଇଥିଲେ। ବାରିପଦା ଟାଉନ ଥାନା ନିକଟରେ ଦେବୀ ସୁଭଦ୍ରାଙ୍କ ରଥ ପହଞ୍ଚିଛି। ଆସନ୍ତାକାଲି ପୁଣି ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଶେଷରେ ଗଡ଼ିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।
ରବିବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ରଥାରୂଢ଼ କରାଯାଇଥିଲା। ସୋମବାର କାଳୁ ନୀତିକାନ୍ତି ସମ୍ପନ୍ନ ହେବା ପରେ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଭକ୍ତ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ଣ ୩ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।
ମୟୂରଭଞ୍ଜର ମହାରାଜା ପ୍ରବୀଣ ଭଞ୍ଜଦେଓ ଚଳିତ ବର୍ଷ ନୂଆ କରି ରଥରେ ଛେରା ପହଁରା କରିଥିଲେ। ତତ୍କାଳୀନ ମୟୂରଭଞ୍ଜ ରାଜ୍ୟରେ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ସମୟରେ ମୟୂରଭଞ୍ଜ ଏବଂ ଭାରତ ସରକାରଙ୍କ ମଧ୍ୟରେ ମର୍ଜର ଏଗ୍ରିମେଣ୍ଟ ପରଠାରୁ ରାଜପରିବାର ଦ୍ୱାରା ନିୟୋଜିତ କରାଯାଇଥିବା ପରିଛା ଏହି ଛେରାପହଁରା ନୀତି ସମ୍ପନ୍ନ କରିଆସୁଥିଲେ। ତେବେ ଚଳିତବର୍ଷ ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ପ୍ରଥମଥର ପାଇଁ ରଥରେ ଛେରାପହଁରା କରିଥିଲେ।
ବାରିପଦାରେ ତିନିଦିନ ଶ୍ରୀଗୁଣ୍ଡିଚାଯାତ୍ରା ଅନୁଷ୍ଠିତ। ଏଥିରେ ସାମିଲ ହେବାକୁ ବାରିପଦାରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସମାଗମ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Tags: #RathYatra #Baripada #Mayurbhanj #RathaJatra2024 #ShreeGundicha #Culture #Odisha