ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାବାରିପଦାରେ ଶ୍ରୀଗୁଣ୍ଡିଚା ଯାତ୍ରାର ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ରଥଟଣା କାର୍ଯ୍ୟ ଶେଷ ହୋଇଛି।
ସୋମବାର ଦିନ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦଉଡ଼ିକୁ ଟାଣିଥିଲେ ମହଳା ଭକ୍ତ। ଦେବଦଳନ ରଥ ବାରିପଦା ଟାଉନଥାନା ସମ୍ମୁଖରେ ରଖିଥିଲେ। ମଙ୍ଗଳବାର ଅପରାହ୍ଣ ୪ଟା ସମୟରେ ଦେବୀ ସୁଭଦ୍ରାଙ୍କ ରଥଟଣା କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ବାରିପଦାର ବଡ଼ଦାଣ୍ଡରେ ରଥରେ ବିଜେ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଇଥିଲେ ମହାପ୍ରଭୁ।
ଦୀର୍ଘ ତିନିଦିନ ଧରି ଅନୁଷ୍ଠିତ ବାରିପଦାର ଶ୍ରୀଗୁଣ୍ଡିଚା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଲା। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା।
Tags: #RathYatra #Baripada #Mayurbhanj #RathaJatra2024 #ShreeGundicha #Culture #Odisha