ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ରଥଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏଥିରେ ୫୦୦ରୁ ଅଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତଙ୍କ ସମାଗମ ହୋଇଥିଲା। ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ପକ୍ଷରୁ ଏହି ଯାତ୍ରାର ଆୟୋଜନ କରାଯାଇଥିଲା।
ରଥଯାତ୍ରା ଦିନ ସକାଳେ ମାଞ୍ଚେଷ୍ଟରର ଗୀତା ଭବନଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରୀତିନୀତି ସହ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଇଥିଲା।
ରଥଯାତ୍ରାରେ ଯୋଗ ଦେଇଥିବା ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ ଓ ଉଦ୍ଦୀପନା ଦେଖାଦେଇଥିଲା। ଦିନ ୧୨ଟା ୪୫ ମିନିଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ଗୀତା ଭବନ ସାମ୍ନାରେ ରହିଥିବା ସୁନ୍ଦର ରଥରେ ବିଜେ କରାଯାଇଥିଲା। ଏଠାରେ ମହିଳାମାନେ ରୋଷଣୀ କରି ମା’ ସୁଭଦ୍ରାଙ୍କର ପହଣ୍ଡି ବିଜେ କରାଇଥିଲେ। ଏହାପରେ ରଥଟଣା ଆରମ୍ଭ ହୋଇଥିଲା।
ମାଞ୍ଚେଷ୍ଟରର ରାଜରାସ୍ତାରେ ମହାପ୍ରଭୁଙ୍କ ରଥଯାତ୍ରା ଅତି ଆକର୍ଷଣୀୟ ଥିଲା। ରଥଟିକୁ ସହରର ୱିଲବ୍ରହମ୍ ରୋଡ୍, ସେଣ୍ଟ ୱେରବ୍ରୋ ରୋଡ୍, ବଣ୍ଟିଂହୋମ ରୋଡ୍ ଓ ୱିଦିଂଟଙ୍ଗ ରୋଡ୍ ଆଦି ସ୍ଥାନ ଦେଇ ନଗର ପରିକ୍ରମା କରାଯାଇ ପୁଣି ଗୀତା ଭବନର ବେଢ଼ାକୁ ଫେରାଇ ଅଣାଯାଇଥିଲା।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ରାକେଶ ଯୋଶୀ ଓ ଦୀନେଶ କୋଚରଙ୍କ ଦ୍ୱାରା ପରିବେଷିତ ସୁମଧୁର ଭଜନ ଏବଂ ସୁଶ୍ରୀ ତନିଶାଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ଅତ୍ୟନ୍ତ ମନୋରମ ଥିଲା।
ଏହି ରଥଯାତ୍ରା ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ମାଞ୍ଚେଷ୍ଟର ଗୋର୍ଟନର ସାଂସଦ ଆଫଜଲ୍ ଖାନ ଏବଂ ଭାରତରୁ ଆସିଥିବା ଆଧ୍ୟାତ୍ମିକ ପ୍ରବକ୍ତା ଦେବୀ ଚିତ୍ରଲେଖା ଜୀ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ନର୍ଥୱେଷ୍ଟ ଓଡ଼ିଶା ସୋସାଇଟିର ସଦସ୍ୟଙ୍କ ମଧ୍ୟରେ ଡକ୍ଟର ଶିବ ସେନାପତି, ରେଖା ସେନାପତି, ଶିବରଞ୍ଜନ ବିଶ୍ୱାଳ, ବିଷ୍ଣୁ ଦାଶ ଓ ଜୀବନ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ।
Tags: #RathaJatra #Manchester #Culture #Festival #England