ଓଡ଼ିଶାଲାଇଭ୍ ବ୍ୟୁରୋ

(ବେଙ୍ଗାଳୁରୁ): ବେଙ୍ଗାଳୁରୁର ଆଗରାଠାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଉତ୍ସାହର ସହ ପାଳନ ହୋଇଛି ବଡ଼ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ମଙ୍ଗଳବାର ଭୋରରୁ ମଙ୍ଗଳ ଆରତୀ, ଅବକାଶ, ମଇଲମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ସାହାଣା ମେଲା ଆଦି ନୀତିକୁ ଯଥାରୀତି ସମ୍ପନ୍ନ କରାଯିବା ପରେ ଦିନ ୧୨ଟା ୧୫ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।

ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ରହିଥିବା ୨୮ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ଠାକୁରମାନଙ୍କୁ ପହଣ୍ଡିରେ ବିଜେ କରାଯାଇଥିଲା। ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ। ବିଶିଷ୍ଟ ଉଦ୍ୟୋଗପତି ସଞ୍ଜୟ କୁମାର ରାଉତ ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ ଦିନ ୨ଟା ୩୦ ମିନିଟରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ।
ମହାପ୍ରଭୁଙ୍କ ରଥ ଦଉଡ଼ି ଟାଣିବାକୁ ଏକାଠି ହୋଇଥିଲେ ପ୍ରାୟ ୬୦ ହଜାର ଭକ୍ତ। ମନ୍ଦିରଠାରୁ ଏକ କିଲୋମିଟର ଦୂରରେ ଥିବା ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଠାକୁରଙ୍କ ରଥକୁ ଟାଣି ଟାଣି ନେଇଥିଲେ ଭକ୍ତ। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥିଲେ।
ଆଗରା ଶ୍ରୀଜଗନ୍ନାଥ ମନ୍ଦିରର ୨୫ବର୍ଷ ପୂର୍ତ୍ତି ଉପଲକ୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପ୍ରକାଶିତ ‘କଥା ମୃତ’ ଶୀର୍ଷକ ସ୍ମରଣିକାକୁ ମୁଖଅତିଥି ଭାବେ ଯୋଗ ଦେଇଥିବା ବିଧାୟକ ସତୀଶ କୁମାର ରେଡ୍ଡୀ ଏବଂ ସମ୍ମାନିତ ସୁନୀଲ କୁମାର ମିଶ୍ର ଓ ବ୍ରଜ କିଶୋର ପ୍ରଧାନ ଉନ୍ମୋଚନ କରିଥିଲେ।
ଶ୍ରୀମନ୍ଦିର ସମ୍ପାଦନା ମଣ୍ଡଳୀର ସଦସ୍ୟ ନିହାର ସାମନ୍ତରା, ଡକ୍ଟର ପ୍ରତାପ ପାଣି, ହର ମହାପାତ୍ର, କାମାକ୍ଷା ପଣ୍ଡା, ମନୋଜ ପାତ୍ର, ଏନଆରବି ପଟ୍ଟନାୟକ, ଡକ୍ଟର ସିତିକଣ୍ଠ ଷଡ଼ଙ୍ଗୀ, ନନ୍ଦ କିଶୋର ଜେନା, ଚକ୍ରଧର ସ୍ୱାଇଁ, ମନୋଜ ମହାପାତ୍ର, ପ୍ରକାଶ ସାମନ୍ତରା, ଜଷ୍ଟିସ ଜଗନ୍ନାଥ ପ୍ରସାଦ ଉଦଗାତା ଓ ପୁଣ୍ୟଶ୍ଳୋକ ଖୁଣ୍ଟିଆ ପ୍ରମୁଖ ଶ୍ରୀଗୁଣ୍ଡିଚା ଯାତ୍ରାକୁ ପରିଚାଳନା କରିଥିଲେ।
Tags: #ShreeGundichajatra #RathYatra #RathJatra #Bengaluru #Celebration #ShreeJagannath