ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ (ଆଇଟିଆଇ) ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପ ମେଳା-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ପ୍ରଶିକ୍ଷଣ ପାଇଁ ଚୟନ ହୋଇଛନ୍ତି। ରାୟଗଡ଼ାର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଆପ୍ପରେଣ୍ଟିସିପ ମେଳାରେ ଅନୁଷ୍ଠାନର ୧୧୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କୁ ଜିଲ୍ଲାର ୮ଟି କମ୍ପାନି ପ୍ରଶିକ୍ଷଣ ପାଇଁ ଚୟନ କରିଥିଲେ।
ଏଠାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ କୁଶଳୀ ହେବାକୁ ଆହ୍ଵାନ ଦେଇଥିଲେ। ଏହାସହ ସେମାନଙ୍କୁ ଜୀବନରେ ଆତ୍ମନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ବବିଲତା ସରାଫ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସ୍ଵର୍ଣ୍ଣଲତା ରାଉତ, ରାୟଗଡ଼ା ସରକାରୀ ଆଇଟିଆଇର ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡା ଏବଂ ଅବସରପ୍ରାପ୍ତ ଆଇପିଓ ସବ୍ୟସାଚୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
Tags: #GovtITI #Apprenticeship #Students #SkillDevelopment #Rayagada