ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଲଳିତଙ୍କ ବିରୋଧରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସଓ) ବୈକୁଣ୍ଠ ନାଥ ପ୍ରଧାନ। ପୁରୀ ରାଜଭବନରେ ଲଳିତ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ବୈକୁଣ୍ଠ।

ମିଳିଥିବା ସୂଚନା ଅନୁସାରେ ରଥଯାତ୍ରା ରାତିରେ ପୁରୀ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିବା ନେଇ ବୈକୁଣ୍ଠ ନାଥ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି। ସେ ସଂସଦୀୟ ବ୍ୟାପାର ବିଭାଗର ଏଏସଓ ଭାବେ କାର୍ଯ୍ୟରତ ରହିଛନ୍ତି। ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀରେ ରହଣି ବ୍ୟବସ୍ଥାର ତଦାରଖ ପାଇଁ ତାଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ଜୁଲାଇ ୭ ତାରିଖ ରାତିରେ ବୈକୁଣ୍ଠ ନାଥ ପ୍ରଧାନ ରାଜଭବନରେ ଥିବା କାର୍ଯ୍ୟାଳୟରେ ଥିଲେ। ଲଳିତ ତାଙ୍କୁ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହଙ୍କ ଜରିଆରେ ରାତି ପ୍ରାୟ ୧୧ଟା ୪୫ ସମୟରେ ୪ ନମ୍ବର ସୁଟକୁ ଡାକିଥିଲେ। ସେଠାକୁ ଯିବା ମାତ୍ରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ବୈକୁଣ୍ଠ।

ଏହାପରେ ବୈକୁଣ୍ଠ ସେଠାରୁ ଖସି ଆସି ଏକ କୋଠାରେ ଲୁଚି ରହିଥିଲେ। ହେଲେ ଲଳିତଙ୍କ ୨ ଜଣ ପିଏସଓ ତାଙ୍କୁ ବଳପୂର୍ବକ ନେଇଆସିଥିଲେ। ଏଥର ଲଳିତ ଓ ଅନ୍ୟମାନେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିବା ସେ କହିଛନ୍ତି।

ଏହି ଘଟଣା ପରେ ବୈକୁଣ୍ଠ ନାଥ ପ୍ରଧାନ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ରଙ୍କୁ ମୌଖିକ ଭାବେ ଜଣାଇଥିଲେ। ଏହାପରେ ସେ ପୁଣି ତାଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ତେବେ କୌଣସି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଶେଷରେ ସେ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ରଥଯାତ୍ରାରେ ଲଳିତ କୁମାର ଓ ତାଙ୍କ ସାଙ୍ଗମାନଙ୍କୁ ଆଣିବା ପାଇଁ ବିଳାସପୂର୍ଣ୍ଣ କାରର ବ୍ୟବସ୍ଥା କରାନଯିବାରୁ ସେମାନେ ବୈକୁଣ୍ଠଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ସୟୋଜୀ ପ୍ରଧାନ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Tags: #RaghubarDas #GovernorofOdisha #LalitKumar #Assault #PoliceCase #Puri

LEAVE A REPLY

Please enter your comment!
Please enter your name here