ଓଡ଼ିଶାଲାଇଭ୍ ବ୍ୟୁରୋ

୪୬ ବର୍ଷର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର। ରବିବାର ଦିନ ଉଭୟ ବାହାର ରତ୍ନଭଣ୍ଡାର ସହିତ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ଭିତର ରତ୍ନଭଣ୍ଡାର ତାଲା ଖୋଲିଲା ନାହିଁ। ତେଣୁ ଭିତର ରତ୍ନଭଣ୍ଡାରର ୩ଟି ତାଲା ଭାଙ୍ଗି ଏହାକୁ ଖୋଲା ଯାଇଛି। ଏଠାରେ ଥିବା ଅଳଙ୍କାରକୁ ପରେ ସ୍ଥାନାନ୍ତରିତ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।
ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁସାରେ ରବିବାର ଦିନ ୧ଟା ୨୮ ସମୟରେ ରତ୍ନଭଣ୍ଡାର ତଦାରଖ କମିଟିର ୧୧ ଜଣ ସଦସ୍ୟ ବାହାର ରତ୍ନଭଣ୍ଡାର ଖୋଲି ଥିଲେ। ଏହାପରେ ବାହାର ରତ୍ନଭଣ୍ଡାରରେ ଥିବା ସବୁ ଅଳଙ୍କାରକୁ ଚାଙ୍ଗଡ଼ା ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଇଥିଲା। ସମସ୍ତ ସଦସ୍ୟ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସିଲ୍ କରାଯାଇଥିଲା। ତା’ପରେ ଅଧିକୃତ ବ୍ୟକ୍ତିମାନେ ଭିତର ରତ୍ନଭଣ୍ଡାର ପାଖକୁ ଯାଇଥିଲେ।
ତେବେ ଟ୍ରେଜେରୀରୁ ଆସିଥିବା ୩ଟି ଚାବିରେ ଭିତର ରତ୍ନଭଣ୍ଡାରରେ ଲାଗିଥିବା ୩ଟି ତାଲା ଖୋଲିବାକୁ ଉଦ୍ୟମ କରାଯାଇଥିଲା। ହେଲେ ଏହା ସମ୍ଭବପର ହୋଇନଥିଲା। ତେଣୁ ଏସଓପି ଅନୁଯାୟୀ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ୩ଟି ଯାକ ତାଲା ଭାଙ୍ଗା ଯାଇଥିଲା। ତା’ପରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ସଦସ୍ୟମାନେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ।
“ଭିତର ଭଣ୍ଡାରରେ ଗଚ୍ଛିତ ଅଳଙ୍କାର ସବୁ ସିନ୍ଦୁକ ଓ ଆଲ୍ମିରାରେ ରହିଛି। କିନ୍ତୁ କୌଣସି ଅଳଙ୍କାର ଆମେ ଖୋଲି ଦେଖିନାହୁଁ। ଭିତର ରତ୍ନଭଣ୍ଡାର ଖୋଲାଲା ବେଳକୁ ବହୁ ସମୟ ହୋଇଯାଇଥିଲା। ସମସ୍ତଙ୍କ ସହମତିରେ ଆଜି ପାଇଁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଆଉ ଗୋଟିଏ ଦିନରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯିବ”, କହିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।
ସେ ଆହୁରି ମଧ୍ଯ କହିଛନ୍ତି, “ସମସ୍ତ ଅଳଙ୍କାର ସ୍ଥାନାନ୍ତର ହେବା ପରେ ଭିତର ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣା କାର୍ଯ୍ୟ କରିସାରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଥିବା ଅଳଙ୍କାରକୁ ପୁଣି ଥରେ ଭିତରକୁ ନିଆଯିବ। ତା’ ପରେ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ।”
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ହେବାକୁ ଯାଉଥିବାରୁ ଏବେ ଶ୍ରୀମନ୍ଦିରରେ ନୀତିକାନ୍ତି ହେବ। ଏହାକୁ ଦୃଷ୍ଟିରେ ରଖି ଭିତର ରତ୍ନଭଣ୍ଡାରର ଅଳଙ୍କାରକୁ ପରେ ସ୍ଥାନାନ୍ତର କରାଯିବ। ରଥଯାତ୍ରାର ସବୁ ନୀତି ସରିବା ପରେ ତାରିଖ ନିର୍ଦ୍ଧାରଣ କରି ଏହି କାର୍ଯ୍ୟ କରାଯିବ। ଏବେ ଭିତର ରତ୍ନଭଣ୍ଡାରର ଦ୍ଵାରକୁ ଅନ୍ୟ ତାଲା ମାଧ୍ୟମରେ ସିଲ କରାଯାଇଛି। ଏହାର ଚାବିକୁ ଟ୍ରେଜେରୀକୁ ହସ୍ତାନ୍ତର କରାଯାଇଛି।
Tags: #Ratnabhandar #Shreemandir #Puri #Odisha








