ଓଡ଼ିଶାଲାଇଭ୍ ବ୍ୟୁରୋ
- ଭୁବନେଶ୍ବର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ
- ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍ଘାଟିତ
- ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ଖୋଲିବ ୧୦ଟି ବିଶ୍ବକର୍ମା କେନ୍ଦ୍ର
ଭୁବନେଶ୍ବର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରରେ ସୋମବାର ରାଜ୍ୟସ୍ତରୀୟ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ରାଜ୍ୟର ପ୍ରଥମ କୌଶଳ ଭବନର ଉଦ୍ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟରେ ଦକ୍ଷତା ବିକାଶ ଗୁଣାତ୍ମକ ଉନ୍ନତି ବିଷୟରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ।
“ଓଡ଼ିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଆଗାମୀ ୨-୩ ବର୍ଷ ମଧ୍ୟରେ ଆମର ଯୁବ ପିଢ଼ି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ ଶିଳ୍ପର ଚାହିଦା ଅନୁଯାୟୀ ଯୋଗ୍ୟତା ହାସଲ କରି ନିଯୁକ୍ତି ପାଇପାରିବେ। ଯୁବପିଢ଼ି ଆମ ରାଜ୍ୟର ଭବିଷ୍ୟତ। ସେମାନଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ” କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଏପରି ଏକ ରାଜ୍ୟର ପରିକଳ୍ପନା କରୁଛୁ ଯେଉଁଠାରେ ଯୁବ ବର୍ଗର ପ୍ରତ୍ୟେକ ବ୍ୟକ୍ତି ନିଜ ମନୋନୀତ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜକୁ ସଶକ୍ତ କରିପାରିବେ। ଯୁବପିଢ଼ି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏହି ସୁଯୋଗର ସୁବ୍ୟବହାର କରିବେ ବୋଲି ମୋର ବିଶ୍ବାସ।”
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍ଘାଟନ ହେବା ସହିତ ଏହି ଭଳି ଆଉ ୯ଟି କୌଶଳ କେନ୍ଦ୍ର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଓଡ଼ିଶାକୁ ପର୍ଯ୍ୟଟନର ଏକ ହବ୍ ଭାବେ ପ୍ରତିଷ୍ଠା କରିବା କ୍ଷେତ୍ରରେ ଏହି କୌଶଳ ଭବନଗୁଡ଼ିକ ଦକ୍ଷ ମାନବ ସମ୍ବଳର ବିକାଶ କରିବାରେ ସକ୍ଷମ ହେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ସେହିପରି ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ‘ସି.ଏମ – ଆସ୍ପାୟାର’ ଯୋଜନାର ଘୋଷଣା ମଧ୍ୟ କରିଥିଲେ। ଏଥିରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ସ୍ଥାପିତ ମଡେଲ କ୍ୟାରିୟର ସେଣ୍ଟରଗୁଡିକୁ ସୁଦୃଢ କରାଯିବ।
ଏହାସହ ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି ଯୋଗ୍ୟ ଦକ୍ଷତା ସୃଷ୍ଟି କରିବା, ଉଦ୍ଭାବନ ଏବଂ ଗବେଷଣାର ଭାବନା ସୃଷ୍ଟି କରିବା ଏବଂ ସେମାନଙ୍କୁ ବିଦେଶର ସର୍ବୋତ୍ତମ ଅନୁଷ୍ଠାନରେ ଉଚ୍ଚ ବୈଷୟିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ଉପରେ ଏହି ଯୋଜନାରେ ଗୁରୁତ୍ବ ଦିଆଯିବ।
ଅନ୍ୟପଟେ ରାଜ୍ଯରେ ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ପ୍ରାୟ ୧୦ଟି ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଘୋଷଣା କରିଥିଲେ। ଏହାସହ ସ୍ଥାନୀୟ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ ଉଦ୍ଦେଶ୍ଯରେ ‘ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି ବୋଲି ସେ କହିଥିଲେ।
ଏଠାରେ ମୁଖ୍ୟମନ୍ତ୍ରୀ ଏକ କୌଶଳ ରଥର ଶୁଭାରମ୍ଭ କରିଥିଲେ। ଏହି କୌଶଳ ରଥ ସାରା ରାଜ୍ୟରେ ଭ୍ରମଣ କରି ଯୁବକ ଯୁବତୀମାନଙ୍କ ମଧ୍ୟରେ ଦକ୍ଷତାର ବାର୍ତ୍ତା ପହଞ୍ଚାଇବ।
ସ୍ଥାନୀୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ସ୍କିଲ ଡେଭଲପମେଣ୍ଟ ଫେଲୋସିପ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆରମ୍ଭ କରାଯାଇଛି। ଚଳିତ ବର୍ଷ ରାଜ୍ୟର ଅନ୍ତରୀଣ ବଜେଟରେ ଦକ୍ଷତା ବିକାଶ ପାଇଁ ପ୍ରାୟ ୩୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଆଗାମୀ ବର୍ଷ ଗୁଡ଼ିକରେ ଏହାକୁ ଆହୁରି ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଓ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏହାସହ ବିଶ୍ଵ ଦକ୍ଷତା କେନ୍ଦ୍ରର ଅନେକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।
Tags: #WorldYouthSkillDevelopmentDay #CMMohanCharanMajhi #SkillDevelopment #WSC #Bhubaneswar