ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୧୮ ତାରିଖ ଗୁରୁବାର ଦିନ ପୁଣି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ।

ରତ୍ନଭଣ୍ଡାର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରମୁଖ ଯୋଗ ଦେଇ ଆଲୋଚନା କରିବା ପରେ ଆସନ୍ତା ଗୁରୁବାର ଦିନ ଭିତର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା।

ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି ଯେ, ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ମିନିଟ ମଧ୍ୟରେ ରତ୍ନଭଣ୍ଡାର ଖୋଲବା ପାଇଁ ଶୁଭ ମୁହୂର୍ତ୍ତ ରହିଛି। ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାରମାନ ସ୍ଥାନାନ୍ତର କରାଯିବ। ସିନ୍ଦୁକ ଏବଂ ଆଲମାରୀରେ ରହିଥିବା ଅଳଙ୍କାର ସବୁ ସ୍ଥାନାନ୍ତର ହେବ। ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଖଟଶେଯ ଘରରେ ଅସ୍ଥାୟୀ ରତ୍ନଭଣ୍ଡାର କରାଯାଇଛି। ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯିବା ପରେ ତାଲା ସିଲ କରାଯିବ। ତାଲାକୁ ଜଉମୁଦ କରାଯାଇ ଚାବିକୁ ଟ୍ରେଜେରିରେ ରଖାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ। ଏହା ପୂର୍ବରୁ ସକାଳ ୮ଟା ବେଳକୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିବ।

ଡାକ୍ଟର ଅରବିନ୍ଦ ପାଢ଼ୀ ଆହୁରି କହିଛନ୍ତି ଯେ, ରବିବାର ଦିନ ବାହାର ରତ୍ନଭଣ୍ଡାରର ୩ଟି ତାଲା ନିର୍ଦ୍ଧାରିତ ଚାବିରେ ଖୋଲିଥିଲା। ଭିତର ରତ୍ନଭଣ୍ଡାରରେ ୩ଟି ତାଲା ପଡ଼ିଥିଲା, ଏହି ତାଲାଗୁଡ଼ିକ ଟ୍ରେଜେରିରୁ ଆସିଥିବା ଚାବିରେ ଖୋଲି ନଥିଲା। ଏସଓପି ଅନୁଯାୟୀ ତାଲାଗୁଡ଼ିକୁ ଭାଙ୍ଗା ଯାଇଥିଲା। କମିଟି ସଦସ୍ୟମାନେ ଭଣ୍ଡାର ଭିତରକୁ ପଶିଥିଲେ, କିନ୍ତୁ ସମୟ ଅଭାବରୁ ସେଦିନ ସିନ୍ଦୁକ ଏବଂ ଆଲମାରୀ ଖୋଲା ଯାଇନଥିଲା ବୋଲି ସେ କହିଛନ୍ତି।

ଦୀର୍ଘ ୪୬ ବର୍ଷର ଅପେକ୍ଷା ପରେ ରବିବାର ଦିନ ୧ଟା ୨୮ର ଶୁଭ ମୁହୂର୍ତ୍ତରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦ୍ଵାର ଖୋଲା ଯାଇଥିଲା। ଏହା ପୂର୍ବରୁ ୧୯୭୮ରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି କରାଯାଇଥିଲା।

Tags: #Ratnabhandar #Shreemandir #Puri #Odisha

LEAVE A REPLY

Please enter your comment!
Please enter your name here