ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଏସସିବି ମେଡିକାଲରେ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ମଧ୍ୟରେ ବିବାଦ ଆନ୍ଦୋଳନର ରୂପ ନେଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦେଇ ଆନ୍ଦୋଳନକୁ ଓହ୍ଲାଇଛି ହାଉସ ସର୍ଜନ ସଂଘ। ଏନେଇ ଡାକ୍ତରଖାନାରେ ରୋଗୀ ସେବା ପ୍ରଭାବିତ ହୋଇଛି।
ଆନ୍ଦୋଳନରେ ଥିବା ହାଉସ ସର୍ଜନମାନେ କେବଳ ଜରୁରୀକାଳୀନ ବିଭାଗକୁ ଛାଡ଼ି ଦେଲେ ଅନ୍ୟ ସବୁ ବିଭାଗରେ ରୋଗୀ ସେବା ବନ୍ଦ କରିଛନ୍ତି। ନର୍ସିଂ କର୍ମଚାରୀମାନେ ସେମାନଙ୍କୁ ଖରାପ ବ୍ୟବହାର ପାଇଁ କ୍ଷମା ମାଗିବା ସହ ଆଗକୁ ଭଲ ବ୍ୟବହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।
ଅନ୍ୟପଟେ ନର୍ସିଂ କର୍ମଚାରୀମାନେ ମଧ୍ୟ ହାଉସ ସର୍ଜନମାନଙ୍କ ଉପରେ ଦୁର୍ବ୍ୟବହାର କରିବାର ଅଭିଯୋଗ ଆଣିଛନ୍ତି। ଏହି ବିବାଦ ମଧ୍ୟରେ ମଙ୍ଗଳବାର ଶତାଧିକ ନର୍ସିଂ ଷ୍ଟାଫ୍ ଏସସିବି ମେଡିକାଲ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମେଡିକାଲ ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ମଧ୍ୟ ଏହି ବିବାଦ ତୁଟି ନାହିଁ।
ରବିବାର ସନ୍ଧ୍ୟାରେ ଏସସିବି ମେଡିକାଲର ମେଡିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଷ୍ଟାଫ ନର୍ସମାନେ ହାଉସ ସର୍ଜନଙ୍କ ବିରୋଧରେ ଦୁର୍ବ୍ୟବହାର କରିବାର ଅଭିଯୋଗ ଆଣିଥିଲେ। ପରେ ହାଉସ ସର୍ଜନମାନେ ମଧ୍ୟ ସେମାନଙ୍କୁ ନର୍ସିଂ କର୍ମଚାରୀମାନେ ଖରାପ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ଏବେ ଏହି ବିବାଦ ଘନେଇବାରେ ଲାଗିଛି।
Tags: #SCBMedical #HouseSurgeon #NursingStaff #HealthCare #Cuttack