ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ବଡ଼ଠାକୁର। ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥାରୂଢ଼ ହୋଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ। ଆଜି ମହାପ୍ରଭୁଙ୍କ ସୁନାବେଶ। ରାଜରାଜେଶ୍ଵର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବଡ଼ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।
ବୁଧବାର ଅପରାହ୍ଣ ୫ଟାରେ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଏନେଇ ବୁଧବାର ସକାଳୁ ମହାପ୍ରଭୁଙ୍କର ମଙ୍ଗଳଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଦି ନୀତି ସମ୍ପନ୍ନ ହେବ। ଏହାପରେ ରାଜରାଜେଶ୍ୱର ବେଶର ଦର୍ଶନ ଦେବେ ମହାପ୍ରଭୁ।
ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ରଥ ଉପରେ ଦର୍ଶନ ଦେବେ ଜଗତ ଠାକୁର। ସିଂହାରୀ, ପାଳିଆ, ଖୁଣ୍ଟିଆ, ଭଣ୍ଡାର ମେକାପ, ଚାଙ୍ଗଡ଼ା ମେକାପ ସେବାୟତମାନେ ମହାପ୍ରଭୁଙ୍କୁ ସୁନା ଅଳଙ୍କାରରେ ସଜାଇବେ।
ଶ୍ରୀଜଗନ୍ନାଥଙ୍କୁ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜାଇ ଦିଆଯିବ।
ସେହିପରି ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ସଜାଯିବ। ଦେବୀ ସୁଭାଦ୍ରାଙ୍କୁ ମଧ୍ୟ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯିବ।
Tags: #SunaBesa #RathJatra #Culture #ShreeMandir #ShreeKhetra