ଓଡ଼ିଶାଲାଇଭ୍ ବ୍ୟୁରୋ
ମହଣ ମହଣ ସୁନାରେ ସଜେଇ ହୋଇ ବୁଧବାର ଦିନ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଇଥିଲେ ଦାରୁବ୍ରହ୍ମ। ବଡ଼ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଗୁରୁବାର ଦିନ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ଓ ନୀଳାଦ୍ରିବିଜେ ପୂର୍ବରୁ ଶ୍ରୀଜିଉଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତି। ଏଥିରେ ରଥରେ ବିରାଜମାନ ତିନି ଠାକୁରଙ୍କୁ ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲଗାଯିବ।
ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।
ରଥଗୁଡ଼ିକରେ ଥିବା ପାର୍ଶ୍ଵଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ। ତାହାକୁ ଅନ୍ୟ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି କୁହାଯାଏ। ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।
ଏହି ନୀତିର ବିଶେଷତ୍ୱ ହେଉଛି ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ବିଶ୍ରାମ ପାଇଥାଉ, ଠିକ ସେହିପରି ମହାପ୍ରଭୁଙ୍କୁ ପଣା ଦିଆଯାଏ। ପଣା ପିଇ ମହାପ୍ରଭୁ ଟିକେ ବିଶ୍ରାମ ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି।
Tags: #AdharaPana #RathYatra #RathaJatra2024 #ShreeMandir #Puri #ShreeJagannath #ଅଧରପଣା