ଓଡ଼ିଶାଲାଇଭ୍ ବ୍ୟୁରୋ

ଶଙ୍ଖ ଭବନକୁ ନେଇ ସରଗରମ ହେବାକୁ ଲାଗିଛି ରାଜ୍ୟ ରାଜନୀତି। ଶଙ୍ଖ ଭବନ ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଓ ବିରୋଧୀ ବିଜେଡି।

ଭୁବନେଶ୍ଵରରେ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଦୀର୍ଘ ଦିନ ହେଲା ଶଙ୍ଖ ଭବନ ବେଆଇନ ଭାବେ ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଗତ ସରକାରରେ ଅଫିସରଙ୍କ ରାଜ ଚାଲିଥିଲା। ସେ ସମୟରେ କିଛି ଅଫିସର ଜାଣିଶୁଣି ଭୁଲ କରିଛନ୍ତି। ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଶଙ୍ଖଭବନ ମୋଟ ୪ଟି ପ୍ଲଟକୁ ମିଶାଇ ନିର୍ମାଣ କରାଯାଇଛି। ସେଥିରୁ ଗୋଟିଏ ପ୍ଲଟର କିସମ ସଡ଼କ ବୋଲି ଅଭିଯୋଗ ହେଉଛି। ଏହି ଜାଗାର ମୂଲ୍ୟ ୧୦୦ କୋଟିରୁ ଅଧିକ ହୋଇଥିବାବେଳେ ୧୨ କୋଟି ୯୩ ଲକ୍ଷ ୧୨୩ କୋଟି ଟଙ୍କାରେ ବିଜେଡିକୁ ଦିଆଯାଇଥିବା ଅଭିଯୋଗ ପରେ ଏହା ଉପରେ ଶନିବାର ଦିନ ରାଜସ୍ଵ ଓ ବପର୍ଯ୍ୟୟ ପରଚାଳନା ବିଭାଗ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ।

ଏହି ଅଭିଯୋଗ ପରେ ଜବାର ରଖିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଶଙ୍ଖ ଭବନକୁ ଜାଣିଶୁଣି ବଦନାମ କରିବାକୁ ଚେଷ୍ଟା ଚାଲିଛି। ସେ କହିଛନ୍ତି ପ୍ରଚଳିତ ଆଇନ ଓ ବ୍ୟବସ୍ଥା ଅନୁସାରେ ଶଙ୍ଖ ଭବନ ନିର୍ମାଣ ହୋଇଛି। ମୂଲ୍ୟାୟନ ଅନୁସାରେ ବିଜେଡିକୁ ଜାଗା ମିଳିଛି। ଯେଉଁ ପ୍ଲଟର କିଷମ ମୁଖ୍ୟ ସଡ଼କ କୁହାଯାଉଛି ତାହା ବାସ୍ତବରେ ଗୋଟିଏ ଉପଗଳି ବୋଲି କଡ୍ୟୁମେଣ୍ଟରେ ଉଲ୍ଲେଖ ରହିଛି। ଗୃହ ନିର୍ମାଣ ପାଇଁ ବିଡିଏ ଏବଂ ବିଏମସିର ଅନୁମୋଦନ ମିଳିଛି। ଶଙ୍ଖ ଭବନକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରି ପ୍ରଣବ ପ୍ରକାଶ ଦାସ କହିଛନ୍ତି, “ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ, ଏଥିରେ କୌଣସି ଅସଙ୍ଗତି ନାହିଁ। ରାଜସ୍ୱ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା।”

ସେ ଆହୁରି କହିଛନ୍ତି, ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା, ତାକୁ ଅନୁପାଳନ କରାଯାଇଛି। ଏଥିରେ କୌଣସି ପ୍ରକାରର ତ୍ରୁଟି ହୋଇନାହିଁ। ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନହୋଇ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Tags: #Politics #OdishaPolitics #ShankhaBhawan #BJP #BJD #Odisha

Comment