ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଟି ଭୁବନେଶ୍ଵରରେ ଭାରତୀୟ ମହାକାଶ ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଛି। ଜୁଲାଇ ୨୨ ଓ ୨୩ ତାରିଖରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଇସ୍ରୋର ସତୀଶ ଧୱନ ସ୍ପେସ୍ ସେଣ୍ଟର ପକ୍ଷରୁ ଆଇଆଇଟି ଭୁବନେଶ୍ଵର ସହ ମିଳିତ ଆନୁକୁଲ୍ୟରେ ଏହାର ଆୟୋଜନ କରାଯାଇଥିଲା। ନାଇଜର ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଅଗଷ୍ଟ ୨୩ ତାରିଖରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ। ୨୦୨୩ ମସିହାରେ ଏହି ଦିନ ଚନ୍ଦ୍ରର ଦକ୍ଷିଣ ମେରୁସ୍ଥିତ ଶିବ ଶକ୍ତି ପଏଣ୍ଟରେ ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ଉତ୍ସବ ପାଳନ କରିବାକୁ ଏହି ଦିନକୁ ମନୋନୀତ କରାଯାଇଛି। ଏଥିଲାଗି ସାରା ଦେଶରେ ଜୁଲାଇ ୨୦ ତାରିଖରୁ ଏକ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହାର ଏକ ଅଂଶ ଭାବେ ଆଇଆଇଟି ଭୁବନେଶ୍ଵରରେ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି।
“ଭାରତର ସାମଗ୍ରିକ ବିକାଶ ପାଇଁ ଡାକ୍ତର, ଇଞ୍ଜିନିୟର ଏବଂ ଉଦ୍ୟୋଗୀଙ୍କ ବ୍ୟତୀତ ବୈଜ୍ଞାନିକ ଓ ଗବେଷଣାକାରୀଙ୍କ ଆବଶ୍ୟକତା ରହିଛି। ଦେଶରେ ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରକୁ ଆଗକୁ ନେବାର ସମୟ ଆସିଛି। ଏଥିପାଇଁ ଆଜିର ଛାତ୍ରଛାତ୍ରୀଙ୍କୁ ଆଗେଇ ଆସିବାକୁ ପଡ଼ିବ”, କହିଛନ୍ତି ପ୍ରଫେସର ହିରେନ୍ଦ୍ର ନାଥ ଘୋଷ।
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ପେସ୍ ଟେକ୍ନୋଲୋଜି ବିକାଶ ନିମନ୍ତେ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଗରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଇସ୍ରୋର ଉଦ୍ଭାବନ ଏବଂ ସଫଳତାକୁ ନେଇ ‘ସ୍ପେସ ଅନ୍ ଦି ହ୍ୱିଲସ୍’ ନାମକ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀ ଏବଂ ସ୍ପେସ୍ ସେକ୍ଟରରେ ବ୍ୟବହୃତ ମଡେଲ ଓ ଉପକରଣର ପ୍ରଦର୍ଶନୀ ମୁଖ୍ୟ ଆକର୍ଷଣ ପାଲଟିଥିଲା।

“୨୦୦୦ ମସିହା ସମୟରେ ଇସ୍ରୋ ଦୁଇ ବର୍ଷରେ ଗୋଟିଏ ସ୍ୟାଟେଲାଇଟ ମହାକାଶକୁ ପଠାଉଥିଲା। ହେଲେ ଏବେ ଏହା ସଂଖ୍ୟା ବହୁଗୁଣିତ ହୋଇଛି। ଏଥିରେ ଆଇଆଇଟିର ବଡ଼ ଭୂମିକା ରହିଛି। ଏବେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗିତା ଉତ୍ସାହିତ କରିବା ପାଇଁ ଆଇଆଇଟି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହା ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରର ବିକାଶ ପାଇଁ ମଧ୍ୟ ସହାୟକ ହେବ ବୋଲି ମୋର ବିଶ୍ଵାସ”, କହିଛନ୍ତି ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର।
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ପେସ୍ କୁଇଜ୍ ଆୟୋଜିତ ହୋଇଥିଲା। ଏହାସହ ଇସ୍ରୋର ଅଗ୍ରଣୀ ବୈଜ୍ଞାନିକ, ସ୍ପେସ୍ ଷ୍ଟାର୍ଟଅପ୍, ଶିକ୍ଷାବିତଙ୍କ ଦ୍ୱାରା ବକ୍ତବ୍ୟ ଏବଂ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲ।
ଏହି କାର୍ଯ୍ୟକ୍ରମରେ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ଜେ ଦାମୋଦରମ, ଅମିତାଭ ମହାନ୍ତି, ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟମିତା ପାର୍କର ସିଇଓ ଡକ୍ଟର ଶୁଭଙ୍କର ପତି ଏବଂ ସତୀଶ ଧୱନ ସ୍ପେସ୍ ସେଣ୍ଟରର ଲୋକସମ୍ପର୍କ ଅଧିକାରୀ କିଶୋର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
Tags: #NationalSpaceDay #IITBhubaneswar #SpaceTechnology #ISRO #Bhubaneswar