ଓଡ଼ିଶାଲାଇଭ୍ ବ୍ୟୁରୋ

ଗତକାଲି, ବୁଧବାର ଦିନ ବିଜେଡିର ସାଂସଦ ପଦରୁ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ ମମତା ମହାନ୍ତ। ଗୁରୁବାର ଦିନ ସେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ମମତା ମହାନ୍ତ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି।

ବିଜେପିରେ ମିଶିବା ପରେ ମମତା ମହାନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଲୋକମାନେ ମୋର ସମ୍ପତ୍ତି, ଲୋକଙ୍କ ସେବା ହିଁ ମୋର ଏକମାତ୍ର ଲକ୍ଷ୍ୟ ରହିଛି। ବିଜେଡିରେ ଅଣଦେଖା କରାଯାଉଥିଲା, ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁନଥିଲା। ଲୋକଙ୍କ ସେବା ଏବଂ କୁଡ଼ୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ଯୋଗ ଦେଇଥିବା ମମତା କହିଛନ୍ତି।

ସାଧାରଣ ସମ୍ପାଦକ ଅରୁଣ ସିଂହ, ରାଜ୍ୟ ବିଜେପି ପ୍ରଭାରି ବିଜୟପାଲ ସିଂ ତୋମର, ରାଜ୍ୟ ଅବକାରୀ ଓ ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ତଥା ଦଳର ଅନ୍ୟ ସାଂସଦ ଏବଂ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ମମତା ମହାନ୍ତ।

ବୁଧବାର ଦିନ ବିଜେଡିର ରାଜ୍ୟସଭା ସାଂସଦ ପଦ ସହ ଦଳରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ବିଜେଡି ଛାଡ଼ିଥିଲେ ମମତା।

ଇସ୍ତଫା ଦେବା ପରେ ମମତା ମହାନ୍ତ କହିଥିଲେ, “ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଦଳ ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ କରି ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲା। ହେଲେ ଆଜି ଦଳରେ ମୋର ଆବଶ୍ୟକତା ନଥିବା ଭଳି ଅନୁଭବ କରୁଛି। ଏହି କାରଣରୁ ବିଜେଡି ଛାଡ଼ିବାକୁ ମୁଁ ନିଷ୍ପତ୍ତି ନେଲି।”

ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ସେ ୨୦୨୦ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୬ ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଥିଲା।

ତେବେ କାର୍ଯ୍ୟକାଳ ସରିବାର ୨୧ ମାସ ପୂର୍ବରୁ ମମତା ମହାନ୍ତ ଇସ୍ତଫା ଦେଇଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ଆଲୋଚନା ହେଉଥିଲା। ମମତା ମହାନ୍ତ ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ମମତା ମହାନ୍ତ ବିଜେପିରେ ଯୋଗ ଦେବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି।

Tags: #Politics #OdishaPolitics #MamataMohanta #MP #RajyaSabha #BJD #Politics #Odisha #BJP

LEAVE A REPLY

Please enter your comment!
Please enter your name here