ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବାଦ ଗ୍ରୁପକୁ ପୁଣି ଫେରିଛନ୍ତି ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ଗୁରୁବାର ସେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୯ ମାସ ପରେ ସେ ପୁଣି ଏହି ଦାୟିତ୍ଵ ତୁଲାଇବେ।

ସୌମ୍ୟରଞ୍ଜନ ପଟ୍ଟନାୟକ ୨୦୨୩ ମସିହା ଅକ୍ଟୋବର ୨ ତାରିଖରେ ଦୈନିକ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଥିଲେ।

୧୯୮୪ ମସିହାରେ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ବାଦର ପ୍ରତିଷ୍ଠା କରିଥିଲେ। ୪ ଦଶନ୍ଧି ଧରି ସମ୍ବାଦ ସହ ଜଡ଼ିତ ରହି ଏହାର ସମ୍ପାଦକ ଭାବେ ଦାୟିତ୍ଵ ନେଇଥିଲେ ସୌମ୍ୟରଞ୍ଜନ। ତେବେ ସମ୍ବାଦର ୪୦ତମ ଜନ୍ମ ଜୟନ୍ତୀର କିଛି ଦିନ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ସଂସ୍ଥାରୁ ନିଜକୁ ସମ୍ପୂର୍ଣ୍ଣ ଅଲଗା କରିଦେବା ଅନେକଙ୍କୁ ଚକିତ କରିଥିଲା।     

ଗତବର୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ରେ ପ୍ରକାଶିତ ନିଜ ସମ୍ପାଦକୀୟରେ ତତକାଳୀନ ୫-ଟି ସଚିବ ତଥା ବିଜେଡି ନେତା ଭି କେ ପାଣ୍ଡିଆନ ଏବଂ ଦଳରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ତାଙ୍କୁ ବିଜେଡି ନେତାଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଥିଲା। ପରେ ସେ ଦଳରୁ ବହିଷ୍କୃତ ହୋଇଥିଲେ।

ଏହାପରେ କର୍ମଚାରୀଙ୍କ ନାଁରେ ଜାଲିଆତି କରି ଋଣ ନେବା ଅଭିଯୋଗରେ ଇଷ୍ଟର୍ଣ୍ଣ ମିଡିଆ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା। ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଏହାସହ ସମ୍ବାଦ ତଥା ଇଷ୍ଟର୍ଣ୍ଣ ମିଡିଆକୁ ସରକାରୀ ବିଜ୍ଞାପନ ମଧ୍ୟ ମିଳିବା ବନ୍ଦ ହୋଇଯାଇଥିଲା।

ତତକାଳୀନ ସରକାରଙ୍କ ଚାପ ତଥା ନିଜ ମିଡିଆକୁ ବଞ୍ଚାଇବା ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରୁ ନିଜକୁ ଅଲଗା କରିଥିବା ବିଭିନ୍ନ ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରେ ତାଙ୍କ ବଡ଼ଭାଇ ଦୀପ୍ତି ରଞ୍ଜନ ପଟ୍ଟନାୟକ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଥିଲେ। ସେହିପରି ‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ‘ସମ୍ବାଦ’ ଖବରକାଗଜର ନୂଆ ସମ୍ପାଦକ ହୋଇଥିଲେ।

ଚଳିତବର୍ଷ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଘଷିପୁରା ଆସନରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ଏଠାରେ ସେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ।

ଓଡ଼ିଶାରେ ଯେତେବେଳେ ରାଜନୈତିକ ପଟ ପରିବର୍ତ୍ତନ ହୋଇ ବିଜେପି ସରକାର ଗଢ଼ିଲା, ସେତେବେଳେ ସୋମ୍ୟରଞ୍ଜନ ଏହାକୁ ‘ଅହଂକାରର ପରାଜୟ ଓ ଅସ୍ମିତାର ବିଜୟ’ ବୋଲି କହିଥିଲେ। ଏବେ ସମ୍ବାଦ ପରିବାରକୁ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।  

Tags: #SoumyaranjanPatnaik #Sambad #EasternMedia #Politics #Odisha

Comment