ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପୋଲିସ ଡିଜି ଭାବେ କିଏ ପାଇବେ ସ୍ଥାୟୀ ନିଯୁକ୍ତି, କିଏ ହେବେ ଓଡ଼ିଶାର ନୂଆ ପୋଲିସ ଡିଜି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ପୋଲିସ ଡିଜି ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ତିନିଜଣ ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ କୁମାର ରାୟ, ଏସ ଏମ ନରଭଣେ ଏବଂ ଓ୍ଵାଇ ବି ଖୁରାନିଆଙ୍କ ବାୟୋଡାଟା ମଗାଇଛନ୍ତି ରାଜ୍ୟ ସରକାର। ତିନି ଆଇପିଏସ ଅଧିକାରୀଙ୍କ ଏକାଡେମିକ ଆଚିଭମେଣ୍ଟ ସହ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଛି।

୧୯୮୮ ବ୍ୟାଚର ଆଇପିଏସ ଅରୁଣ କୁମାର ରାୟ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ-ଷ୍ଟେସନାରି ଏବଂ ପବ୍ଲିକେସନରେ ନିର୍ଦ୍ଦେଶକ ଦାୟିତ୍ଵରେ ରହିଛନ୍ତି। ସେହିପରି ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଏସ ଏମ ନରଭଣେ ରାଜ୍ୟ ଗୃହ ବିଭାଗର ଓଏସଡି ଅଛନ୍ତି। ୧୯୯୦ ବ୍ୟାଚର ଆଇପିଏସ ଓ୍ଵାଇ ବି ଖୁରାନିଆ ଏବେ ଦିଲ୍ଲୀ ବିଏସଏଫ ହେଡକ୍ଵାଟରରେ ସ୍ଵତନ୍ତ୍ର ଡିଜି ଭାବେ ନିଯୁକ୍ତ ଅଛନ୍ତି। ତାଙ୍କୁ ଓଡ଼ିଶାକୁ ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଆଇପିଏସ ଓ୍ଵାଇ ବି ଖୁରାନିଆ ଓଡ଼ିଶାର ନୂଆ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଓ୍ଵାଇ ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ। ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲାର ଏସପି ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି।

ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗତ ୨୦୨୩ ମସିହା ଡିସେମ୍ବର ୩୧ ତାରିଖରେ ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଅରୁଣ ଷଡ଼ଙ୍ଗୀ। ଏହି ପଦବୀରେ ଏବେ ସ୍ଥାୟୀ ନିଯୁକ୍ତି ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର।

Tags: #OdishaPolice #OdishaGovt #DGP #Appointment #Odisha

LEAVE A REPLY

Please enter your comment!
Please enter your name here