ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶରେ ହିଂସା ଯୋଗୁଁ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି। ଦେଶର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି ଖରାପ ହେବାରେ ଲାଗିଛି। ତେବେ ବିଶ୍ଵରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା କାରଣରୁ ବ୍ୟାପକ ହିଂସା ହୋଇଥିବା ନଜିର ରହିଛି। କିଛି ବର୍ଷ ପୂର୍ବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନରେ ମଧ୍ୟ ଏଭଳି ହିଂସାକାଣ୍ଡ ଉପୁଜିଥିଲା। ଏଥିଲାଗି ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା।
ଶ୍ରୀଲଙ୍କା
ଯେଉଁଭଳି ଭାବେ ଏବେ ବାଂଲାଦେଶରେ ସମସ୍ୟା ଦେଖିବାକୁ ମିଳିଛି, ୨ ବର୍ଷ ତଳେ ଶ୍ରୀଲଙ୍କାରେ ମଧ୍ୟ ଦେଖିବାକୁ ମିଳିଥିଲା ଏଭଳି ହିଂସା। ୨୦୨୨ ମସିହାରେ ଶ୍ରୀଲଙ୍କାରେ ବଡ଼ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା। ଏଥିଲାଗି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଜିନିଷଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ହେବାକୁ ଲାଗିଲା। ଦେଶରେ ବିଦେଶୀ ମୁଦ୍ରା ସରିବାକୁ ଲାଗିଲା। ଶାସନ ବ୍ୟବସ୍ଥାର ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଲା। ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ଶ୍ରୀଲଙ୍କାବାସୀ।
ଅନେକ ଦିନ ଯାଏଁ ଶ୍ରୀଲଙ୍କାରେ ସ୍ଥିତି ଅନିୟନ୍ତ୍ରିତ ରହିଥିଲା। ସଭିଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ ଶୁଭିଲା ତାହା ହେଉଛି ‘ଆରାଗାଲେ’, ଯାହାର ସିଂହଳୀ ଭାଷାରେ ଅର୍ଥ ହେଉଛି ସଂଘର୍ଷ। ଆନ୍ଦୋଳନ ଏତିକିରେ ସରିନଥିଲା, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ଦେବାକୁ ଦାବି କରିବା ନେଇ ଲୋକେ ରାଜରାସ୍ତାକୁ ଓହ୍ଳାଇଥିଲେ। ବିକ୍ଷୋଭକାରୀ ଜନସାଧାରଣ ରାଷ୍ଟ୍ରପତି ଭବନକୁ ପଶିଯାଇ ସେଠାକାର ପରିବେଶ ପୂରା ଅଶାନ୍ତରେ କରି ଦେଇଥିଲେ।
ଏହାପରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେଇ ଦେଶ ଛାଡି ମାଳଦ୍ବୀପ ଯାଇଥିଲେ, ସେଠାରୁ ସେ ସିଙ୍ଗାପୁର ପଳାଇଥିଲେ। ପୁଣି ୨ ମାସ ପରେ ସେ ଶ୍ରୀଲଙ୍କା ଫେରିଥିଲେ, ହେଲେ ସେତେବେଳକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂହେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିସାରିଥିଲେ।
ଆଫଗାନିସ୍ତାନ
୨୦୨୧ ମସିହା ଅଗଷ୍ଟ ୧୫ ତାରିଖରେ ଯେତେବେଳେ ଭାରତ ସ୍ବାଧିନତା ଦିବସ ପାଳନ କରୁଥିଲା, ସେତେବେଳେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ କବ୍ଜା କରିଥିଲା ତାଲିବାନ। ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ବାହିନୀ ପ୍ରତ୍ୟାହାର ପରେ ତାଲିବାନକୁ ଦେଶର ଶାସନ ଭାର ଗ୍ରହଣ କରିବା ପାଇଁ ମଉକା ମିଳି ଯାଇଥିଲା।
କାବୁଲ ପୂର୍ବରୁ ତାଲିବାନ ଆଫଗନିସ୍ତାନର ଆହୁରି ଅନେକ ସହରକୁ ନିଜ ଅକ୍ତିଆରରେ କରିନେଇଥିଲା। ଏମିତିକି ତାଲିବାନ ସରକାର ଗଠନ କରିବା ପୂର୍ବରୁ ନିଜର ବଡ଼ ସେନା ଗଠନ କରିଥିଲା। ଏହି ପରିପ୍ରେକ୍ଷୀରେ ତାଲିବାନ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇଗଲା।
ତାଲିବାନର ଭୟରେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ିଥିଲେ। ତାଲିବାନ ତାଙ୍କୁ ଦେଶର ପୂର୍ବତନ ଶାସକ ନଜିବୁଲ୍ଲାଙ୍କ ଭଳି ହତ୍ୟା କରିବା ଭୟରେ ସେ ଆଫଗାନିସ୍ତାନରୁ ଶୀଘ୍ର ଦୂରେଇ ଯାଇଥିଲେ। ଏହାପରେ ଆଫଗାନିସ୍ତାନରେ ତାଲିବାନର ନିରଙ୍କୁଶ ଶାସନ ଆରମ୍ଭ ହୋଇଥିଲା। ଏହା ୨୦୨୧ ମସିହାର ସବୁଠାରୁ ଘଟଣା ଥିଲା।
Tags: #BangladeshViolence #People #Politics #Srilanka #Afghanistan