ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହେଲା ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ। ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଖାଲିପଡ଼ିଥିବା ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ହେବ। ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବୁଧବାର ଦିନ ଘୋଷଣା କରାଯାଇଛି।
ରାଜ୍ୟସଭା ଉପନିର୍ବାଚନ ପାଇଁ ଅଗଷ୍ଟ ୧୪ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଅଗଷ୍ଟ ୨୭ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ସେପ୍ଟେମ୍ବର ୩ ତାରିଖ ସକାଳ ୯ଟା ଅପରାହ୍ଣ ୪ଟା ମଧ୍ୟରେ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ ପଡ଼ିବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ଓଡ଼ିଶା ସହ ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା, ବିହାର, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଖାଲିପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ହେବ।
ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ଖାଲିପଡ଼ିଥିବା ଏହି ପଦବୀ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ତେବେ ଓଡ଼ିଶାରୁ କିଏ ରାଜ୍ୟସଭା ଯିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।
ରାଜ୍ୟସଭା ସାଂସଦ ରେସରେ ସବୁଠାରୁ ଆଗରେ ରହିଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ। ଏହା ସହ ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କ ନାଁ ମଧ୍ୟ ସାମିଲ ରହିଛି। ମମତା ମହାନ୍ତଙ୍କୁ ବିଜେପି ରିପିଟ କରିପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Tags: #Politics #IndiaPolitics #OdishaPolitics #RajyasabhaByeElection #MP #RajyaSabha #Odisha #BJP#ElectionCommissionOfIndia