ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ବିଶ୍ଵ ଅଙ୍ଗଦାନ ଦିବସ। ଅଙ୍ଗଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ଏହି ଦିବସ ପାଳନ କରାଯାଉଛି।
ଆମ ଶରୀରର ପ୍ରତିଟି ଅଙ୍ଗ ଗୁରୁତ୍ଵପୂର୍ଣ୍ଣ ତଥା ମୂଲ୍ୟବାନ। ଯଦି ହଠାତ୍ ମଣିଷ ଶରୀରର କୌଣସି ଅଙ୍ଗ ଅଚଳ ହୋଇପଡ଼େ, ତେବେ ସ୍ଵାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ବେଳେ ବେଳେ ଅଙ୍ଗ ନଷ୍ଟ ହେବା କାରଣରୁ ଅନେକ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ଅଙ୍ଗ ହରାଉଥିବା ବା ନଷ୍ଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ଏବେ ଗୋଟିଏ ବିକଳ୍ପ ‘ଅର୍ଗାନ ଷ୍ଟ୍ରାନ୍ସପ୍ଲାଣ୍ଟ’ ବା ଅଙ୍ଗ ପ୍ରତିରୋପଣ।
ନଷ୍ଟ ହୋଇଯାଇଥିବା ଅଙ୍ଗ ସ୍ଥାନରେ ଅନ୍ୟ ଜଣଙ୍କର ଅଙ୍ଗକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ନୂଆ ଜୀବନ ଦିଆଯାଏ। କିଛି ଲୋକ ଏବେ ଅଙ୍ଗଦାନ କରିବାକୁ ଆଗେଇ ଆସୁଛନ୍ତି, ଯାହା ଦ୍ଵାରା ଅନେକ ଗୁରୁତ୍ଵପୂର୍ଣ୍ଣ ଜୀବନ ବଞ୍ଚି ଯାଉଛି।
ବର୍ତ୍ତମାନ ଅଙ୍ଗଦାନକୁ ନେଇ ଲୋକେ ସଚେତନ ହେଲେଣି। କେହି କେହି ନିଜ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରୁଛନ୍ତି ତ, ବ୍ରେନ ଡେଡ ଘୋଷଣା ହେଉଥିବା ଅଧିକାଂଶ ବ୍ୟକ୍ତିଙ୍କ ପରିବାର ନିଜ ପ୍ରିୟଜନଙ୍କର ଅଙ୍ଗଦାନ କରୁଥିବା ଦେଖିବାକୁ ମିଳୁଛି।
ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ୨୦୨୦ ମସିହାରେ ଓଡ଼ିଶା ସରକାର ତିନିଜଣ ମହିଳା ପ୍ରିୟଙ୍କା, ସୁଚିତ୍ରା ଏବଂ ରାଜଲକ୍ଷ୍ମୀଙ୍କୁ ମରଣୋତ୍ତର ଭାବେ ସୁରଜ ସମ୍ମାନ ପ୍ରଦାନ କରିଥିଲେ। ପରେ ୨୦୨୪ ମସିହାରେ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରିବାକୁ ଓଡ଼ିଶା ସରକାର ଘୋଷଣା କରିଥିଲେ।
ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଏବଂ ସାହସର ସ୍ଵୀକୃତି ସ୍ଵରୂପ ସେମାନଙ୍କୁ ଏହି ସମ୍ମାନ ଦିଆଯାଉଛି। ଏହା ଅଙ୍ଗଦାନ ପାଇଁ ଅନ୍ୟ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ରହିଛି।
Tags: #OrganDonation #People #HealthCare #Odisha #WorldOrganDonationDay2024