ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ଡାକ୍ତରମାନେ ସାରା ଦେଶରେ ଆନ୍ଦୋଳନ ଜାରି ରଖିଛନ୍ତି। ମାମଲାର ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଡାକ୍ତରମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି। ଏବେ ଏହି ମାମଲାକୁ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରିବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କ’ଣ ଥିଲା ଘଟଣାକ୍ରମ

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତ ଦେହ ମିଳିଥିଲା।

ତେବେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା। ସେ ଏବେ ୧୪ ଦିନିଆ ପୋଲିସ ରିମାଣ୍ଡରେ ଥିବାବେଳେ ପୋଲିସ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଉଛି। ଏହାସହ ତଦନ୍ତ ପାଇଁ ମେଡିକାଲ କଲେଜର ୩ ଜଣ ଡାକ୍ତରଙ୍କୁ ମଧ୍ୟ ଜେରା କରିଛି କୋଲକାତା ପୋଲିସ।

ଘଟଣାକୁ ନେଇ କେବଳ ପଶ୍ଚିମବଙ୍ଗରେ ନୁହେଁ ବରଂ ସାରା ଦେଶରେ ପ୍ରତିବାଦ ଦେଖାଦେଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।

Tags: #KolkataRapeandMurderCase #TraineeDoctor #MedicalStudent #Kolkata #WestBengal

LEAVE A REPLY

Please enter your comment!
Please enter your name here