ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ୨୩ ଥର ବରଗଡ଼ ଧନୁଯାତ୍ରାରେ କଂସ ମହାରାଜାଙ୍କ ଭୂମିକାରେ ଅଭିନୟ କରିଥିଲେ।
ଗୋପାଳ ସାହୁ ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ। କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶେଷରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି।
ଗୋପାଳ ସାହୁଙ୍କ ପରଲୋକରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ବାସଭବନରେ ଲୋକେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଗୋପାଳ ସାହୁଙ୍କ ଜନ୍ମ ବଲାଙ୍ଗିର ଜିଲ୍ଲାରେ ହୋଇଥିଲା। ପେଶାରେ ସେ ଜଣେ ପୋଲିସ ଅଧିକାରୀ ଥିଲେ, ହେଲେ ନିଶା ତାଙ୍କର ଅଭିନୟ। ସେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜାଙ୍କ ଭୂମିକାରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
୧୯୮୪ ମସିହାରୁ ୧୯୯୮ ଏବଂ ୨୦୦୧ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସେ ୨୩ ଥର କଂସ ମହାରାଜାଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ତାଙ୍କ ଅଭିନୟ ଦେଖିବାକୁ ଧନୁଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମୁଥିଲା। ନିଜ ଅଭିନୟ ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମେତ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ।
Tags: #GopalSahu #FormerKansaMaharaja #BargarhDhanuJatra #Bargarh #Odisha