ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ଥିବା ଅତ୍ୟାଧୁନିକ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ (ଲିଫ୍ଟ ଓ ଏସ୍କାଲେଟର ଟେକ୍ନୋଲୋଜି) ପାଠ୍ୟକ୍ରମରେ ଶତ ପ୍ରତିଶତ ନିଯୁକ୍ତି ସଫଳତା ମିଳିଛି। ୨୦୨୩-୨୪, ପ୍ରଥମ ବ୍ୟାଚରେ ତାଲିମ ନେଉଥିବା ୮୧ ଜଣ ଛାତ୍ରଛାତ୍ରୀ ବିଶ୍ୱର ପ୍ରମୁଖ ଲିଫ୍ଟ ସେବା ପ୍ରଦାନକାରୀ ସଂସ୍ଥା ସିଣ୍ଡଲର ଓ ଜନସନ୍ ଲିଫ୍ଟସରେ ନିଯୁକ୍ତି ସୁଯୋଗ ପାଇଛନ୍ତି।

‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ପାଠ୍ୟକ୍ରମରେ ନିଯୁକ୍ତି ସୁଯୋଗ ପାଇଥିବା ୮୧ ଜଣଙ୍କ ଭିତରେ ୧୫ ଝିଅ ଏବଂ ୬୬ ଜଣ ପୁଅ ଅଛନ୍ତି। ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଥିବାରୁ ସେମାନେ ରାଜ୍ୟ ସରକାର ଓ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି।

ବର୍ତ୍ତମାନ ସମୟରେ ବଡ଼ ବଡ଼ ସହରରେ ଥିବା ଆଧୁନିକ ବିମାନ ବନ୍ଦର, ରେଳ ଷ୍ଟେସନ, ମଲ୍ ଓ ଆପାର୍ଟମେଣ୍ଟରେ ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲେଟର ଆଦିର ବହୁଳ ବ୍ୟବହାର କରାଯାଉଛି। ଏହି ଆଧୁନିକ ଯନ୍ତ୍ରାଂଶର ସ୍ଥାପନା, ପରିଚାଳନା ଓ ମରାମତି ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି।

ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନରୁ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ୧ ବର୍ଷିଆ ଆଡଭାନ୍ସଡ୍ ଡିପ୍ଲୋମା ତାଲିମ ପାଠ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଗାଁ ଓ ସହରରୁ ଯୁବକ ଯୁବତୀମାନେ ଆସି ତାଲିମ ନେଉଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ବିଷୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ପାଇଁ ଅତ୍ୟାଧୁନିକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି। ଶିଳ୍ପ ତାଲିମ ଓ ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ କିମ୍ବା ୩ ବର୍ଷିଆ ପଲିଟେକନିକ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିରେ ଆବେଦନ କରିପାରିବେ।

‘‘ଜଣେ ଦକ୍ଷ ଲିଫ୍ଟ ଟେକନିସିଆନ ହେବାର ଲକ୍ଷ୍ୟ ନେଇ ମୁଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ପାଠ୍ୟକ୍ରମରେ ନାମ ଲେଖାଇଥିଲି। ଏଠାରେ ମୁଁ ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲଟର ଆଦି ବିଷୟରେ ନୂଆ ନୂଆ କଥା ଜାଣିବାକୁ ପାଇଲି। ଏବେ ମୁଁ ଜନସନ ଲିଫ୍ଟସ୍ ଭଳି କମ୍ପାନିରେ ଚାକିରି ପାଇଛି। ଏଥିରେ ମୁଁ ଓ ମୋ’ ପରିବାରବର୍ଗ ବହୁତ ଖୁସି,’’ କହିଛନ୍ତି କେନ୍ଦୁଝରରୁ ଆସିଥିବା ଛାତ୍ର ରାଜେଶ କୁମାର ସେଠୀ।

‘‘ଲିଫ୍ଟ ଟେକନିସିଆନ ଭାବେ ମୁଁ କାମ କରିବି ବୋଲି କେବେ ଭାବି ନଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ବିଷୟରେ ତାଲିମ ନେବା ଫଳରେ ଆଜି ମୋର ସ୍ୱପ୍ନ ପୂରଣ ହୋଇଛି। ଏଠାରେ ତାଲିମ ନେବା ପାଇଁ ଅନ୍ତର୍ଜାତୀୟ ମାନର ଉପକରଣ ରହିଛି। ବଡ଼ କମ୍ପାନିରେ କିପରି କାମ କରିବାକୁ ପଡ଼େ ତାହା ମୁଁ ଏଠାରୁ ଶିଖିଛି’’, କହିଛନ୍ତି ମୟୂରଭଞ୍ଜରୁ ଆସିଥିବା ଛାତ୍ରୀ ପଦ୍ମାବତୀ ହାଁସଦା।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ମୋଟ ୭ଟି ପାଠ୍ୟକ୍ରମରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନିସିଂ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ସେମାନଙ୍କୁ ଶିଳ୍ପ ଉପଯୋଗୀ କରାଯାଉଛି।

ଏହି କେନ୍ଦ୍ରରେ ତାଲିମ ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରଛାତ୍ରୀଙ୍କୁ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ଦେବା ଲାଗି ପ୍ରତିବର୍ଷ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ କରାଯାଉଛି। ନିକଟରେ ଜନସନ ଲିଫ୍ଟସ ଓ ସିଣ୍ଡଲର୍ ଭଳି ପ୍ରମୁଖ କମ୍ପାନି ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସି ପ୍ଲେସମେଣ୍ଟ ଇଣ୍ଟରଭିଉ କରିଥିଲେ। ଏଥିରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନର ଛାତ୍ରଛାତ୍ରୀ ଭାଗନେଇ ସଫଳ ହୋଇଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏବେ ୨୦୨୪-୨୫ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନରେ ନାମଲେଖା ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାର ଆଗ୍ରହୀ ପ୍ରାର୍ଥୀମାନେ କେନ୍ଦ୍ରର ୱେବସାଇଟରେ www.worldskillcenter.org ପ୍ରଥମେ ପଞ୍ଜୀକରଣ କରିବା ପରେ ଆବେଦନ କରିପାରିବେ।

‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ଥିବା ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଆବେଦନ ଲାଗି ଶେଷ ତାରିଖ ଅଗଷ୍ଟ ୩୦ ରହିଛି। ସେହିପରି ‘ସ୍କୁଲ ଅଫ୍ ସର୍ଭିସେସ୍’ ପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୦। ନାମଲେଖା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀ ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିପାରିବେ।

Tags: #WorldSkillCenter #Schoolofengineering #VerticalTransportation #CareerOpportunity #Bhubaneswar #Career #Employment #SkilledInOdisha

LEAVE A REPLY

Please enter your comment!
Please enter your name here