ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୁର ଖୁରାନିଆ। ସେ ରାଜ୍ୟ ପୋଲିସ ଡିଜି ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ଵ ଗ୍ରହଣ କରିବେ। ଏନେଇ ଶୁକ୍ରବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଯୋଗେଶ ବାହାଦୁର ଖୁରାନିଆ ୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ। ସେ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ ବିଏସଏଫର ସ୍ଵତନ୍ତ୍ର ଡିଜି ଭାବେ କାର୍ଯ୍ୟରତ ଥିଲେ। ତେବେ ତାଙ୍କୁ ପୁଣି ଓଡ଼ିଶାକୁ ଫେରାଇ ଆଣିଥିଲେ ରାଜ୍ୟ ସରକାର।

ଓଡ଼ିଶାରେ କାର୍ଯ୍ୟ କରିବା କ୍ଷେତ୍ରରେ ଯୋଗେଶ ବାହାଦୁର ଖୁରାନିଆଙ୍କ ବହୁ ଅଭିଜ୍ଞତା ରହିଛି। ସେ କମିଶନରେଟ ପୋଲିସର କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଏହାସହ ସେ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ। ସେ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ।

ଓଡ଼ିଶାର ପୂର୍ବତନ ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗତ ୨୦୨୩ ମସିହା ଡିସେମ୍ବର ୩୧ ତାରିଖରେ ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଆଇପିଏସ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀ। ଏହି ପଦବୀରେ ଏବେ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସ୍ଥାୟୀ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

Tags: #YBKhurania #DGP #OdishaPolice #OdishaGovt #Odisha  

Comment