ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ଓଡ଼ିଶାର ରାଜଧାନୀ ଭୁବନେଶ୍ଵରକୁ ପୂରିଛି ୭୫ ବର୍ଷ। ଏହି ଉପଲକ୍ଷେ ସୋମବାର ଦିନ ଭୁବନେଶ୍ଵରସ୍ଥିତ କ୍ରାଉନ ହୋଟେଲଠାରେ କେତକୀ ବୁକସ୍ ଏବଂ ମାଇଁ ସିଟି ଲିଙ୍କସ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେବାଶିଷ ପଟ୍ଟନାୟକଙ୍କ ଲିଖିତ ‘ବିବିଆଇ: ଭୁବନେଶ୍ଵର କମ୍ପ୍ଲିଟସ୍ ସେଭେଣ୍ଟି ଫାଇଭ୍ ଇୟରସ’ କଫି ଟେବୁଲ ବୁକ ଉନ୍ମୋଚନ କରାଯାଇଛି।
ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ପଦ୍ମ ଭୂଷଣ ପ୍ରତିଭା ରାୟ, ବିଶିଷ୍ଟ ଭାଷାବିତ ଏବଂ ଲେଖକ ପ୍ରଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରସନ୍ନ ମିଶ୍ର, ଓମ ପ୍ରକାଶ, ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର ଅଧ୍ୟକ୍ଷ ପ୍ରଫେସର କିଶୋର ବାସା, ପୁସ୍ତକର ଲେଖକ ଦେବାଶିଷ ପଟ୍ଟନାୟକ, ସମ୍ପାଦକ କେ ରବି, ଡିଜାଇନର ଜ୍ୟୋତି ରଞ୍ଜନ ସ୍ଵାଇଁ ଏବଂ ମାଇଁ ସିଟି ଲିଙ୍କସ୍ର ସମ୍ପାଦକ ସାନୁ ରଥ ପ୍ରମୁଖ ଯୋଗ ଦେଇଥିଲେ।
‘ବିବିଆଇ: ଭୁବନେଶ୍ଵର କମ୍ପ୍ଲିଟସ୍ ସେଭେଣ୍ଟି ଫାଇଭ୍ ଇୟରସ’ କଫି ଟେବୁଲ ବୁକରେ ରହିଛି ଭୁବନେଶ୍ଵର ସହରର ପ୍ରତିଷ୍ଠା ଓ ବିକାଶ ସମ୍ପର୍କରେ ଅନେକ ରୋଚକ କଥା। ପୁସ୍ତକରେ ସହରର ଉନ୍ନତି, ବାଣିଜ୍ୟ, ସଂସ୍କୃତି, ଐତିହ୍ୟ ଓ ଖାଦ୍ୟପେୟ ଆଦି ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଥିବାବେଳେ ଅନେକ ବିରଳ ଫଟୋ ଏଥିରେ ସ୍ଥାନ ପାଇଛି।
କାର୍ଯ୍ୟକ୍ରମରେ ଭୁବନେଶ୍ଵରକୁ ନେଇ ଏକ ଖଟି ସେସନର ଆୟୋଜନ କରାଯାଇଥିଲା। ଏଥିରେ ସ୍ଵାଭିମାନ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୁତି ମହାପାତ୍ର, ଓଡ଼ିଶା ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଐତିହାସିକ ଓ ଗବେଷକ ଅନିଲ ଧୀର, ବିଶିଷ୍ଟ ପରିବେଶବିତ ପଞ୍ଚମୀ ମନୁ ଉକିଲ ଓ ବକୁଳ ଫାଉଣ୍ଡେସନର ସମ୍ପାଦକ ସୁଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇ ଭୁବନେଶ୍ଵରର ପୁରଣା ସ୍ମୃତିକୁ ମନେ ପକାଇଥିଲେ।
ପୁସ୍ତକ ସମ୍ପର୍କରେ
ଦେବାଶିଷ ପଟ୍ଟନାୟକଙ୍କ ଲିଖିତ ‘ବିବିଆଇ: ଭୁବନେଶ୍ଵର କମ୍ପ୍ଲିଟସ୍ ସେଭେଣ୍ଟି ଫାଇଭ୍ ଇୟରସ’ ପୁସ୍ତକକୁ କେତକୀ ବୁକସ୍ ପକ୍ଷରୁ ପ୍ରକାଶ କରାଯାଇଛି। ପୁସ୍ତକର ସମ୍ପାଦନା ବରିଷ୍ଠ ସାମ୍ବାଦିକ କେ ରବି କରିଥିବାବେଳେ ଏହାର ଜିଡାଇନ କରିଛନ୍ତି ଜ୍ୟୋତି ରଞ୍ଜନ ସ୍ଵାଇଁ।
Tags: #BBIBhubaneswarCompletesSeventyFiveYears #CoffeeTableBook #LaunchingCeremony #Bhubaneswar #Odisha