ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ଵ ଫଟୋଗ୍ରାଫି ଦିବସ। ଭୁବନେଶ୍ଵରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସିଲିକନ ବିଶ୍ଵବିଦ୍ୟାଳୟ ଓ ସିଲିକନ୍ ଫଟୋଗ୍ରାଫି କ୍ଲବର ମିଳିତ ସହଯୋଗରେ ଏହି ଦିବସ ପାଳନ କରାଯାଇଛି। ଏଥିରେ ବହୁ ବିଶିଷ୍ଟ ଅତିଥି, ଲବ୍ଧପ୍ରତିଷ୍ଠ ଓ କୁଶଳୀ ଫଟୋଗ୍ରାଫର ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏଠାରେ ହୋଇଥିବା ଫଟୋ ପ୍ରଦର୍ଶନୀ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଏହାର ନାମ ‘ଅବ୍ସ୍କୁରା’ ଥିଲା।
ଏହି କାର୍ଯ୍ୟକ୍ରମରେ ସିଲିକନ୍ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଜୟଦୀପ ତାଲୁକଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ସଞ୍ଜୟ ପଟ୍ଟନାୟକ ‘ସୋସିଓଲଜି ଅଫ ମୁଭିଙ୍ଗ ଇମେଜସ’ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ହୋଇଥିବା ଫଟୋ ପ୍ରଦର୍ଶନୀରେ ବିଶିଷ୍ଟ ଫଟୋଗ୍ରାଫର ଆଶିଷ ଧୀର ତାଙ୍କର ନିଜସ୍ଵ ଫଟୋ ସମୂହରୁ ଓଡ଼ିଶାର ଆଦିବାସୀ ସଂସ୍କୃତି ଓ ପରମ୍ପରା ଉପରେ ବଛାବଛା ଫଟୋଗ୍ରାଫଗୁଡ଼ିକୁ ପ୍ରଦର୍ଶନ କରିଥିଲେ।
ଫଟୋ ପ୍ରଦର୍ଶନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଉପସ୍ଥିତ କୁଶଳୀ ଫଟୋଗ୍ରାଫରମାନଙ୍କୁ ପ୍ରଶ୍ନ ପଚାରି ସେମାନଙ୍କ ସନ୍ଦେହ ଦୂର କରିପାରିଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟର ଟ୍ରଷ୍ଟି କପିଳାସ ଭୂୟାଁ ଓ ମ୍ୟାନେଜିଂ ଟ୍ରଷ୍ଟି ଜ୍ୟୋତି ରଞ୍ଜନ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ।
ଆଧୁନିକ ଜୀବନ ଶୈଳୀ ସହ ଫଟୋଗ୍ରାଫି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଯେଉଁ ଘଟଣା ବା ଅବସ୍ଥାକୁ ଭାଷାରେ ପ୍ରକାଶ କରିବା କଷ୍ଟସାଧ୍ୟ ତାହାକୁ ଫଟୋଗ୍ରାଫ ମାଧ୍ୟମରେ ଅତି ସହଜରେ ପ୍ରକାଶ କରାଯାଇପାରେ। ଫଟୋଗ୍ରାଫର ଆବିର୍ଭାବ ତଥା ଏହାର ମହତ୍ତ୍ଵକୁ ସମସ୍ତ ବିଶ୍ଵବାସୀଙ୍କୁ ମନେ ପକେଇ ଦେବାକୁ ପ୍ରତି ବର୍ଷ ଅଗଷ୍ଟ ୧୯ ତାରିଖ ଦିନଟିକୁ ବିଶ୍ଵ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ। ୧୮୩୯ ମସିହାରୁ ଏହା ପାଳନ କରାଯାଇ ଆସୁଛି।
Tags: #WorldPhotographyDay2024 #Obscura #KetakiFoundationTrust #Bhubaneswar









