ଓଡ଼ିଶାଲାଇଭ୍ ବ୍ୟୁରୋ
ବିଷାକ୍ତ ମଦ ପିଇ ୨୦ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଏହି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି ଏନଏସି ଅନ୍ତର୍ଗତ କରବାଲୁଆ ଓ ଜେନାପୁର ଗାଁର। ଅସୁସ୍ଥ ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାଉନ୍ଦପୁର ଗାଁର। ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ସୋମବାର ଦିନ କରବାଲୁଆ ଓ ଜେନାପୁର ପ୍ରାୟ ୨୦ ଜଣ ବ୍ୟକ୍ତି ଦେଶୀ ମଦ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ପ୍ରଥମେ ଚିକିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥାରେ ସୁଧାର ନଆସିବାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କାଯାଇଛି।
ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଏହି ବେଆଇନ ମଦ କାରବାରର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Tags: #DeshiLiquor #Ganjan #Treatment #PoliceInvestigation
















